ରାଉରକେଲା : ୨୪/୪ (ସତ୍ୟାନ୍ୟୁଜ) ଆସନ୍ତାକାଲି ପାଳନ କରାଯିବ ଆମକୋ -ସିମକୋ ସହିଦ ଦିବସ। ଏହି ଦିନରେ ୧୯୩୯ ମସିହାରେ ବ୍ରିଟିଶ ଗୁଳିରେ ୪୯ ଜଣ ନିରୀହ ଆଦିବାସୀ ସହିଦ ହୋଇଥିଲେ। ବ୍ରିଟିଶ ସରକାରଙ୍କ ବେଆଇନ କର ବିରୋଧରେ ଆଦିବାସୀ ମାନେ ମେଳି କରି ଏକତ୍ର ହୋଇଥିଲେ। ଏହି ସମୟରେ ବ୍ରିଟିଶ ଫୌଜ ସେଠାରେ ପହଞ୍ଚି ଆଖି ବୁଜା ଗୁଳି ଚଳାଇଥିଲେ। କିନ୍ତୁ ସେହିଦିନ ବ୍ରିଟିଶ ଗୁଳିରେ ସହିଦ ହୋଇଥିବା ଆଦିବାସୀ ମାନଙ୍କୁ ଏପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ମିଳିନାହିଁ। ଆମକୋ-ସୀମକୋ ସହିଦ ସ୍ଥଳକୁ ସରକାର ଏବେ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଛନ୍ତି। ସେହି ଅନୁସାରେ ଏହି ସହିଦ ସୃତି ପୀଠର ଉନ୍ନତି ପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି। ମାତ୍ର ସହିଦ ମାନଙ୍କୁ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ଏପର୍ଯ୍ୟନ୍ତ ଦିଆଯାଇ ନଥିବାରୁ ସ୍ଥାନୀୟ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି।
ଗୋଟିଏ ପଟେ ଆମକୋ-ସୀମକୋ ସହିଦ ପୀଠର ଉନ୍ନତି ହେଉଥିବା ବ୍ରାହ୍ମଣମରା ସହିଦ ସ୍ଥଳ ଅବହେଳିତ ଭାବେ ପଡିଛି। ବିରମିତ୍ରପୁରର ଏହି ସ୍ଥାନରେ ସହିଦ ଆଦିବାସୀ ମାନଙ୍କୁ ଆଣି ବ୍ରିଟିଶର ମାନେ ପୋତି ଦେଇଥିଲେ। ଏହି ସ୍ଥାନର ଉନ୍ନତି କରଣ କରିବାକୁ ସାଧାରଣରେ ଦାବି ହେଉଛି।
ଆସନ୍ତାକାଲି ଆମକୋ – ସୀମକୋ ସହିଦ ଦିବସ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି। ଜିଲ୍ଲା ପ୍ରଶାସନ ଏବଂ ଆମକୋ ସିମକୋ ସୃତି କମିଟି ପକ୍ଷରୁ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ନେଇ ସୂଚନା ଦିଆଯାଇଛି।