ରାଉରକେଲା : ସାଧାରଣ ତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ।। ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0 125

ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାଉରକେଲା ୧୦/୧ /୨୬:  ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ  ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଜାତୀୟ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସେ  କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଉପସ୍ଥିତ ସଦସ୍ୟମାନଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟ ସଂପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ l ସେ କାର୍ଯ୍ୟକ୍ରମକୁ ଭବ୍ୟ ଭାବରେ ପାଳନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସହଯୋଗ କରିବାକୁ କହିଥିଲେ l

   ଆସନ୍ତା ଜାନୁଆରୀ ୨୬ ତାରିଖ ସକାଳ ୮.୩୦ ମିନିଟ୍ ସମୟରେ ଉଦିତନଗର ପରେଡ଼ ପଡ଼ିଆରେ ମୁଖ୍ୟ ଅତିଥି  ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ l 

ଏଥିି ପାଇଁ  ଜାନୁଆରୀ ୨୧, ୨୨ ଓ ୨୪ ତାରିଖ ଦିନ ସକାଳ ୮ ଘଟିକା ସମୟରେ ଉଦିତନଗର ପରେଡ଼ ପଡ଼ିଆରେ ରିଜର୍ଭ ଇନିସ୍‌ପ୍ଟେର ଅଫ ପୋଲିସ, ରାଉରକେଲାଙ୍କ ତତ୍ୱାବଧାନରେ ଅଭ୍ୟାସ ପରେଡ କରାଯିବ l 
ସାଧାରଣତନ୍ତ୍ର ଦିବସ ଦିନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରରେ ରାମଧୂନ ଗାନ ପ୍ରଚାର କରାଯିବ । ଉକ୍ତ ଦିନ ସକାଳ ୭ ଘଟିକା ଠାରୁ ୭.୩୦ ମିନିଟ ମଧ୍ୟରେ ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ପରେଡ଼ରେ ପୋଲିସ ଓ ବେସାମରିକ ପ୍ରତିରକ୍ଷା ବାହିନୀ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସିଭିଲିଆନ ଦଳ, ସିନିୟର ଡିଭିଜନ ଓ ଜୁନିଅର ଡିଭିଜନ ଏନସିସିର ଦଳ ଆଦି ଅଂଶଗ୍ରହଣ କରିବେ । ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ପରିବେଷଣ କରାଯିବ । ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଦେଶାତ୍ମବୋଧକ  ସଙ୍ଗୀତଗାନ , ଚିତ୍ରାଙ୍କନ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ ଏବଂ ଏଥିନିମନ୍ତେ ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ତୃପକ୍ଷଙ୍କୁଏହାର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି ।  ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନୃତ୍ୟ, ସଙ୍ଗୀତ ଓ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ବୈଠକରେ ପରେଡ଼ ପଡିଆର ସାଜସଜ୍ଜା ନିମନ୍ତେ ରାଉରକେଲା ମହାନଗର ନିଗମ କର୍ତୃପକ୍ଷଙ୍କୁ ଦାୟିତ୍ବ ଦେଇଥିବା ବେଳେ ପାନୀୟ ଜଳ ଯୋଗାଣ ନିମନ୍ତେ ୱାଟକୋ କର୍ତୃପକ୍ଷ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ଅଭ୍ୟାସ ପରେଡ଼ ଦିନ ପରେଡ଼ ପଡ଼ିଆକୁ ଆସିବା ନିମନ୍ତେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦେବାକୁ ଆରଟିଓକୁ ଅନୁରୋଧ କରାଯାଇଥିଲା l  ଏହା ବ୍ୟତୀତ  ରାଉରକେଲା ସରକାରୀ ଡାକ୍ତରଖାନା ଓ କାରାଗାରର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯିବା ପାଇଁ ନିଷ୍ପତି ନିଆଯାଇଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାନଗର ନିଗମର ଯୁଗ୍ମ ଉପାୟୁକ୍ତ ପଲ୍ଲବୀ ନାୟକ, ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ଚାନ୍ଦିନୀ, ଜିଲ୍ଲା ସୂ୍‌ଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ତୃପକ୍ଷ, ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ବିଭାଗୀର ଅଧିକାରୀ ତଥା ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.