ରାଉରକେଲା : ଗୁରୁ ପୂର୍ଣ୍ଣିମାରେ ବିଭିନ୍ନ ସାଇ ମନ୍ଦିରରେ ପୂଜାର୍ଚ୍ଚନା।। ହନୁମାନ ବାଟିକା , ଟି ସି ଆଇ ଛକ ସାଇ ମନ୍ଦିର , ସେକ୍ଟର ୨୦ ରେ ଶ୍ରଦ୍ଧାଳୁଙ୍କ ଭିଡ଼।
ଗୁରୁ ପୂର୍ଣ୍ଣିମାରେ ରାଉରକେଲାର ସାଇ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼
ରାଉରକେଲା:୨୯/୭
(ସତ୍ୟାନ୍ୟୁଜ) ଗୁରୁ ପୂର୍ଣ୍ଣିମା ଅବସରରେ ରାଉରକେଲାର ବିଭିନ୍ନ ସାଇ ମନ୍ଦିରରେ ବୁଧବାର ସକାଳଠାରୁ ଶ୍ରଦ୍ଧାଳୁଙ୍କ ବ୍ୟାପକ ସମାଗମ ଦେଖିବାକୁ ମିଳିଛି। ବେଦବ୍ୟାସ ଟିସିଆଇ ସ୍ଥିତ ସାଇ ମନ୍ଦିରରେ ମନ୍ଦିରକୁ ଫୁଲ ଓ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇଥିବା ବେଳେ ସାଇ ବାବାଙ୍କୁ ପୁଷ୍ପମାଳା ଅର୍ପଣ କରାଯାଇଥିଲା।
ସକାଳ ୬ଟା ୪୫ ମିନିଟ୍ରେ କାକଡ଼ ଆରତି, ୭ଟା ୩୦ ମିନିଟ୍ରେ ଅଭିଷେକ ଏବଂ ଦିନ ୧୨ଟାରେ ମଧ୍ୟାହ୍ନ ଆରତି ଅନୁଷ୍ଠିତ ହୋଇଥିଲା। ପରେ ବିଶାଳ ଭଣ୍ଡାରାର ଆୟୋଜନ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ସନ୍ଧ୍ୟା ୬ଟା ୩୦ ମିନିଟ୍ରେ ଧୂପ ଆରତିରେ ମଧ୍ୟ ବହୁ ସଂଖ୍ୟକ ଭକ୍ତ ସାମିଲ ହୋଇଥିଲେ। ସମଗ୍ର କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ସକ୍ରିୟ ଭୂମିକା ଗ୍ରହଣ କରି ଥିଲେ।
ସେହିପରି ହନୁମାନ ବାଟିକା ସ୍ଥିତ ସାଇ ମନ୍ଦିରରେ ମଧ୍ୟ ସକାଳଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ମନ୍ଦିରର ପୂଜକ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ। ଧ୍ୟାନ ଓ ପ୍ରାର୍ଥନା ସମୟରେ ମନ୍ଦିର ପରିସରରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇଥିଲା।
ସେକ୍ଟର-୨୦ ସ୍ଥିତ ସାଇ ମନ୍ଦିରରେ ମଧ୍ୟ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶହରର ଅନ୍ୟାନ୍ୟ ସାଇ ମନ୍ଦିରରେ ମଧ୍ୟ ଭକ୍ତମାନଙ୍କ ଉତ୍ସାହପୂର୍ଣ୍ଣ ଉପସ୍ଥିତି ଗୁରୁ ପୂର୍ଣ୍ଣିମାକୁ ଆଧ୍ୟାତ୍ମିକ ପରିବେଶରେ ପରିଣତ କରିଥିଲା।