ରାଉରକେଲା : ଗଭୀର ଅବପାତ ପରେ ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍ ଆଲର୍ଟ।। ଗୁରୁଣ୍ଡିଆ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବ୍ଲକ୍ କାର୍ଯ୍ୟାଳୟରେ ଲହଡ଼ି ମାରୁଛି ବର୍ଷା ଜଳ।
ଗଭୀର ଅବପାତର ପ୍ରଭାବ: ସୁନ୍ଦରଗଡ଼ରେ ରେଡ୍ ଆଲର୍ଟ, ଗୁରୁଣ୍ଡିଆରେ ବର୍ଷା ଜଳରେ ବେହାଲ ଜନଜୀବନ
ରାଉରକେଲା: ୨୮/୭
(ସତ୍ୟାନ୍ୟୁଜ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ରାତିରୁ ଲଗାତାର ବର୍ଷା ହେଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ସୁନ୍ଦରଗଡ଼ ପାଇଁ ରେଡ୍ ଆଲର୍ଟ ଜାରି କରିଛି।
ସେହିପରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବାବେଳେ ବାଲେଶ୍ୱରରେ ମଧ୍ୟ ଲଗାତାର ପ୍ରବଳ ବର୍ଷା ଜାରି ରହିଛି। ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ସହ ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏପଟେ ଲଗାତାର ମୂଷଳଧାରା ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟ ପରିସର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ପରିସରରେ ବର୍ଷା ଜଳ ଜମି ରହିଥିବାରୁ ସରକାରୀ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି।
ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଜଳବନ୍ଦୀ ପରିସ୍ଥିତି ଯୋଗୁଁ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେହିପରି ସିଏଚସି ପରିସର ପାଣିରେ ବୁଡ଼ି ରହିଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ହସ୍ପିଟାଲକୁ ଆସିବା-ଯିବାରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ହସ୍ପିଟାଲ ପରିସର ଏକ କୃତ୍ରିମ ପୋଖରୀର ରୂପ ନେଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷ ବର୍ଷ ଧରି ଜଳ ନିଷ୍କାସନ ବ୍ୟବସ୍ଥାର ଅବ୍ୟବସ୍ଥା ଯୋଗୁଁ ପ୍ରତ୍ୟେକ ବର୍ଷା ଋତୁରେ ଏଭଳି ସମସ୍ୟା ଦେଖାଦେଉଛି। ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରି ସ୍ୱାଭାବିକ ଜନଜୀବନ ଫେରାଇ ଆଣିବା ସହ ସ୍ଥାୟୀ ସମାଧାନ କରିବାକୁ ପ୍ରଶାସନ ନିକଟରେ ସେମାନେ ଦାବି କରିଛନ୍ତି।