କରଞ୍ଜିଆ : ଅଙ୍ଗନବାଡି କେନ୍ଦ୍ର ନିକଟରେ ବିଦେଶୀ ମଦ ଦୋକାନ।। ବନ୍ଦ କିମ୍ବା ସ୍ଥାନାନ୍ତର ଦାବିରେ ମହିଳାଙ୍କ ବିକ୍ଷୋଭ।
କାରଞ୍ଜିଆ : ୨୩/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ଏବେ ସହର ଠାରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡେ ଖୋଲାଯାଉଛି ବିଦେଶୀ ମଦ ଦୋକାନ। ମଦ ଦୋକାନ ଖୋଲିବାକୁ ସଠିକ ସ୍ଥାନ ନିରୂପଣ ହେଉ ନଥିବା ବାରମ୍ବାର ଅଭିଯୋଗ ହେଉଛି। ଏବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଘୋଷଦା ଗ୍ରାମ ପଞ୍ଚାୟତରେ ନୂତନ ଭାବେ ଖୋଲିଥିବା ଏକ ମଦ ଦୋକାନକୁ ବିରୋଧ କରିଛନ୍ତି ସ୍ଥାନୀୟ ସ୍ଵୟଂ ସେବୀ ସଂସ୍ଥାର ମହିଳା ମାନେ। ମୁଣ୍ଡା ସାହିରେ ଖୋଲି ଥିବା ଏହି ବିଦେଶୀ ମଦ ଦୋକାନ ପାଖରେ ଏକ ଅଙ୍ଗନବାଡି କେନ୍ଦ୍ର ରହିଛି। ଫଳରେ କୋମଳମତି ପିଲାଙ୍କ ଉପରେ ଏହାର କୁପ୍ରଭାଵ ପଡୁଛି। ଗ୍ରାମର ପୁରୁଷ ଲୋକ ମାନେ ମଦ ପିଇ ଘରେ କଳି ଝଗଡା କରିବା ଅଭିଯୋଗ ହେଉଛି। ତେଣୁ ଏହି ମଦ ଦୋକାନକୁ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ମହିଳା ମାନେ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖବର ପାଇ କରଞ୍ଜିଆ ଥାନା ଅଧିକାରୀ ଏବଂ ଅବକାରୀ ବିଭାଗ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିଥିଲେ। ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନାଯୋଗ୍ୟଯେ ଗତ ୧୧ ତାରିଖରେ ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠି ସଦସ୍ୟା ମାନେ ମାନେ କରଞ୍ଜିଆ ଉପଖଣ୍ଡ ଉପଜିଲ୍ଲାପାଳ ଙ୍କୁ ଏହି ସମ୍ବନ୍ଧରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅଙ୍ଗନବାଡି ନିକଟରେ ମଦ ଦୋକାନ ଟି ଥିବା ହେତୁ ଛୋଟ ଛୋଟ ପିଲା ମାନଙ୍କ ଉପରେ କୁପ୍ରଭାବ ପଡୁଥିବା ଦାବିପତ୍ର ରେ ଦର୍ଶାଯାଇଥିଲା। ଏହି ମଦ ଦୋକାନ କାରଣ ରୁ ପ୍ରାୟତଃ ସମସ୍ତଙ୍କ ପରିବାରରେ ଅଶାନ୍ତି, ଗଣ୍ଡଗୋଳ, ଝଗଡା ଲାଗିରହୁଛି। ପୁରୁଷ ଲୋକମାନେ ଘରୁ ଟଙ୍କା, ଧାନ ଚାଉଳ ଅଦିନେଇ ମଦ ପିଇ ଘରକୁ ଆସି ମହିଳା ମାନଙ୍କ ସହିତ ମାରପିଟ କରୁଛନ୍ତି। ମଦ ଦୋକାନ ସମ୍ମୁଖରେ ପ୍ରାୟ ସବୁ ସମୟରେ ଝଗଡା ହେବାର ଦେଖିବାକୁ ମିଳୁଛି। ଏହି ଦୋକାନ ଏକ ସାହି ଭିତରେ ଥିବା ହେତୁ ଲୋକଙ୍କ ଏହାର କୁପ୍ରଭାବ ପଡୁଥିବାରୁ ଏହାକୁ ଯଥାଶୀଘ୍ର ବନ୍ଦ କରାଯାଉ ନଚେତ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ଦାବି ହେଉଛି। ତେବେ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇନଥିବାରୁ ବାଧ୍ୟ ହୋଇ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ସଦସ୍ୟା ମାନେ ମିଳିତ ହୋଇ ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇ ଚଢେଇଭୋଳ ଫାଣ୍ଡି ଅଧିକାରୀ ସାଲଖାନ ମୂର୍ମୁ ସଦଳବଳେ ସେଠାରେ ଉପସ୍ଥିତ ରହି ମହିଳା ମାନଙ୍କୁ ବୁଝାସୁଝା କରିଥିଲେ।
କରଞ୍ଜିଆ ଅବକାରୀ ବିଭାଗ ଅଧିକାରୀ ପୁରୁଷୋତ୍ତମ ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀ ମହିଳା ଙ୍କ ସହିତ ଆଲୋଚନା କରି ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତରଣ ନିମନ୍ତେ ପ୍ରତିଶୃତି ଦେବା ପରେ ମହିଳା ମାନେ ଆନ୍ଦୋଳନ ରୁ ଓହରିଥିଲେ।