ରାଉରକେଲା : ୨୧/୪ (ସତ୍ୟାନ୍ୟୁଜ) ଆସନ୍ତାକାଲି ଇଦ୍ ଉଲ ଫିତର । ଇଦ୍ ପାଳନ ଲାଗି ରାଉରକେଲା ଇସ୍ପାତ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଜି ପବିତ୍ର ରମଜାନ ମାସର ଶେଷ ଦିନରେ ଅଲବିଦା ଜୁମା ନମାଜ଼ ପାଠ କରାଯାଇଥିଲା। ଆଜି ସନ୍ଧ୍ୟାରେ ଚାନ୍ଦ ଦେଖା ଯାଇଥିବାରୁ ଆସନ୍ତାକାଲି ପାଳନ କରାଯିବ ଇଦ୍ ପର୍ବ। ଏଥିଲାଗି ବିଭିନ୍ନ ମସଜିଦ ଏବଂ ଇଦଗା ପଡ଼ିଆରେ ନମାଜ଼ ପାଠ କରିବାକୁ ପ୍ରସ୍ତୁତି ଚାଲିଛି। ପ୍ଲାଣ୍ଟସାଇଟ ରୋଡ଼ ନିକଟରେ ଥିବା ଇଦଗା ମୈଦାନ ରେ ଆସନ୍ତା କାଲି ସକାଳ ୮ ଟା ବେଳେ ନମାଜ଼ ପାଠ କରାଯିବ। ଏଥିଲାଗି ଇଦଗା ମୈଦାନ କୁ ସଫା କରାଯିବା ସହ ଅନ୍ୟାନ୍ୟ ପ୍ରସ୍ତୁତି ଚାଲିଛି।
ଅନ୍ୟପକ୍ଷରେ ଇଦ୍ ପର୍ଵ ପାଳନ ଲାଗି ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ନୂତନ ସାମଗ୍ରୀ କିଣିବା ଲାଗି ନାଲା ରୋଡ଼ ଅଞ୍ଚଳରେ ବେଶ ଭିଡ଼ ପରିଲକ୍ଷିତ ହେଉଛି। ଇଦ୍ ରେ ନୂତନ ପୋଷାକ ପରିଧାନ କରି ପରସ୍ପରକୁ ଇଦ୍ ମୁବାରକ ଦେବାର ପରମ୍ପରା ରହିଥିବାରୁ ନୂତନ ପୋଷାକ କିଣିବାକୁ ଭିଡ଼ ହେଉଛି। ଏହାଛଡା ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ନୂତନ ସାମଗ୍ରୀ ମଧ୍ୟ ବିକ୍ରି ହେଉଛି। ଇଦ୍ ପର୍ଵ ଶାନ୍ତି ଶୃଙ୍ଖଳା ସହ ପାଳନ ଲାଗି ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରାଯାଇଛି।