ମହାରାଷ୍ଟ୍ର : ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଉତ୍ସବରେ ଅଘଟଣ।। ହିଟ ଷ୍ଟ୍ରୋକରେ ୧୧ ମୃତ।। ବହୁ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି ।

0 337

ନବୀ ମୁମ୍ବାଇ: ୧୭/୪ (ସତ୍ୟାନ୍ୟୁଜ) ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଖାରଘରରେ ଗତକାଲି ଆୟୋଜିତ ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଉତ୍ସବର କାର୍ଯ୍ୟକ୍ରମରେ ଅଘଟଣ ଘଟିଛି। ଅତ୍ୟଧିକ ଖରାରେ ରୁଣ୍ଡ ହୋଇଥିବା ଲୋକଙ୍କ ମଧ୍ୟରୁ ହୃଦଘାତରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ବହୁ ଲୋକ ଊର୍ଦ୍ଧ୍ୱ ହିଟ୍‌ଷ୍ଟ୍ରୋକ୍‌ର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

ରାୟଗଡ଼ ଜିଲ୍ଲାର ଖାରଘରରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମ ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଯୋଗ ଦେଇ ଆଧ୍ୟାତ୍ମିକ ନେତା ତଥା ସମାଜ ସୁଧାରଣ ଅପ୍ପା ସାହେବଙ୍କ ସମ୍ମାନିତ କରିଥିଲେ।
କାର୍ଯ୍ୟକ୍ରମ ପ୍ରାୟ ସା‍ଢେ ୧୧ଟାରେ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ଏଥିନିମନ୍ତେ ସକାଳୁ ବହୁ ସଂଖ୍ୟାରେ ଲୋକ ଖୋଲା ପଡ଼ିଆରେ ରୁଣ୍ଡ ହେବାକୁ ଲାଗିଥିଲେ। ଏହି ସମାରୋହରେ ଯୋଗ ଦେବାକୁ ପଡ଼ିଆରେ ଖଚାଖଚ ଲୋକଙ୍କ ଭିଡ଼ ହୋଇଥିବା ବେଳେ ସେମାନଙ୍କ ବସିବା ନିମନ୍ତେ ଚେୟାର ବ୍ୟବସ୍ଥା ହୋଇଥିଲା। ମାତ୍ର ଅତ୍ୟଧିକ ଖରା ସତ୍ତ୍ୱେ କୌଣସି ସେଡ୍‌ ବ୍ୟବସ୍ଥା ହୋଇ ନ ଥିଲା। ଫଳରେ ବହୁ ସମୟ ଖରାରେ ବସି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା।

ହିଟ ଷ୍ଟ୍ରୋକ ରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକଙ୍କୁ ନିକଟସ୍ଥ ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କେତେକଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟମାନେ ଏବେ ବି ଚିକିତ୍ସାଧୀନ ଅଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହସ୍ପିଟାଲ ପରିଦର୍ଶନ କରି ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଏଥିସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ଗୁରୁତରମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ, ଏନସିପି ନେତା ଅଜିତ ପାୱାର ମେଡିକାଲ ପହଞ୍ଚି ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। କାର୍ଯ୍ୟକ୍ରମକୁ ଠିକ୍‌ ଭାବେ ଆୟୋଜନ କରାଯାଇ ନ ଥିବାରୁ ଏପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.