ସମ୍ବଲପୁର : ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସମ୍ବଲପୁରର ୬ ଟି ଥାନା ଅଞ୍ଚଳରେ କର୍ଫ୍ୟୁ।। ଜିଲ୍ଲାରେ ଇଣ୍ଟରନେଟ ସେବା ୧୭ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ବନ୍ଦ।
ସମ୍ବଲପୁର : ୧୫/୪ (ସତ୍ୟାନ୍ୟୁଜ ) ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁରରେ ଦୁଇଗୋଷ୍ଠୀ ଭିତରେ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଯୋଗୁଁ ସହର ଏବେ ଅଶାନ୍ତ ହୋଇ ପଡିଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଶୁକ୍ରବାର ରାତି ୧୨ଟାରୁ ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ଲାଗି କର୍ଫ୍ୟୁ ଜାରି କରାଯାଇଛି। ସମ୍ବଲପୁର ଟାଉନ୍, ଧନୁପାଲି, କ୍ଷେତରାଜପୁର , ଅଇଁଠାପାଲି, ବରେଇପାଲି ଓ ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ଏ ନେଇ ସମ୍ବଲପୁର ଉପଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଶାନ୍ତି ରକ୍ଷା କରିବା ଲାଗି ସମ୍ବଲପୁରକୁ ଅଧିକ ପୋଲିସ ଫୋର୍ସ ପଠାଯିବା ସହ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି ବୋଲି ରାଜ୍ୟ ପୋଲିସ ଡି ଜି ସୁନୀଲ ବଂଶଲ କହିଛନ୍ତି। ଉପଦ୍ରବକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡି ଜି ଶ୍ରୀ ବଂଶଲ କହିଛନ୍ତି।
ଅନ୍ୟପକ୍ଷରେ ଇଣ୍ଟରନେଟ ସେବା ବନ୍ଦକୁ ଆହୁରି ୪୮ ଘଣ୍ଟା ବଢ଼ାଇ ଦିଆଯାଇଛି। ୧୭ ତାରିଖ ଦିନ ୧୦ ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ।
କର୍ଫ୍ୟୁ ସମୟରେ କୌଣସି ବ୍ୟକ୍ତିବିଶେଷଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ସକାଳ ୮ଟାରୁ ୧୦ଟା, ଅପରାହ୍ନ ୩ଟା୩୦ରୁ ୫ଟା୩୦ ମଧ୍ୟରେ ସହରବାସୀ ସାମଗ୍ରୀ କିଣିପାରିବେ । କୌଣସି ମେଡିକାଲ ଏମର୍ଜେନ୍ସି ପାଇଁ ହେଲ୍ପଲାଇନ୍ ନମ୍ବର ୭୬୫୫୮୦୦୭୬୦ ଜାରି କରାଯାଇଛି ।
ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଅତିରିକ୍ତ ଏସ୍ ପି ଏବଂ ଧନୁପାଲି ଆଇଆଇସିଙ୍କ ସମେତ ୧୦ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହାପର ଠାରୁ ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଛି। ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ବହୁ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହା ସତ୍ତ୍ୱେ ଗତ ୨ ଦିନ ହେବ ସହରର ବହୁ ଦୋକାନ ବଜାର ପୋଡ଼ା ଜଳା ଘଟଣା ସାମନାକୁ ଆସୁଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆ ଯିବା ସହ ସମସ୍ତ ସୋଶାଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଯାଇଛି। ସୋଶାଲ ମିଡିଆ ମେସେଜିଂ ସର୍ଭିସ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ସହରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରା ଯିବା ସହ ସହରରେ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ମଧ୍ୟ କରାଯାଇଛି। କୌଣସି ପ୍ରକାର ଗୁଜବ ପ୍ରତି କର୍ଣ୍ଣପାତ ନକରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।