ସୁନ୍ଦରଗଡ଼ : ବେଆଇନ ବାଲି ଚାଲାଣକୁ ବିରୋଧ କରିବାରୁ ଯୁବକଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା ଅଭିଯୋଗ।। ଅଭିଯୁକ୍ତ ଦୁଇ ବାଲି ମାଫିଆ ଫେରାର।
ସୁନ୍ଦରଗଡ଼: ୧୩/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟ ଇବ୍ ନଦୀରୁ ବାଲିଉଠାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ବାଲି ମାଫିଆ ମାନେ ଟାଙ୍ଗିଆରେ ହାଣି ହତ୍ଯା କରିଛନ୍ତି। ମୃତକ ହେଲେ ସଦରଥାନା କରମଡିହି ଅଞ୍ଚଳର ୩୩ ବର୍ଷୀୟ ସୋନୁ ନେଗୀ । ସୋନୁ ଓ ତାଙ୍କର ଜଣେ ସାଙ୍ଗ ଆଜି ସକାଳେ କରମଡିହି ନିକଟ ଡାଇଜମହୁଲ ଇବନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେଠାରେ ୨ଟି ଟ୍ରାକ୍ଟରରେ ବାଲି ଉଠା ଯାଉଥିଲା। ତାକୁ ସୋନୁ ବିରୋଧ କରିଥିଲେ। ଏପରିକି ଡ୍ରାଇଭରମାନଙ୍କୁ ଧମକ ଦେଇଥିଲେ। ଡ୍ରାଇଭର ଦୁଇ ଜଣ ନଦୀରେ ଟ୍ରାକ୍ଟରକୁ ଛାଡି ଗାଁକୁ ପଳାଇ ଯାଇ ମାଲିକଙ୍କୁ ସୂଚନା ଦେଲେ। କିଛି ସମୟ ପରେ ବାଲି ଚାଲାଣ କରୁଥିବା ଟ୍ରାକ୍ଟର ମାଲିକ ଦୁର୍ଗାମାଧବ ଏକ୍କା ଓ ତ୍ରିଲୋଚନ ସା ଆସି ସୋନୁ ସହ ପାଟିତୁଣ୍ଡ କରିଥିଲେ। ସୋନୁ ବି ଏମାନଙ୍କୁ ବିରୋଧ କରିଥିଲେ। ଏଥିରେ ହଠାତ ଉତକ୍ଷିପ୍ତ ହୋଇ ତ୍ରିଲୋଚନ ଓ ଦୁର୍ଗା ଟାଙ୍ଗିଆରେ ସୋନୁଙ୍କୁ ହାଣି ଫେରାର ହୋଇ ଯାଇଥିଲେ। ସାଙ୍ଗରେ ଯାଇଥିବା ଯୁବକ ପରିବାର ଲୋକଙ୍କୁ ସୂଚନା ଦେବା ପରେ ଗୁରୁତର ସୋନୁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଡାକ୍ତରଖାନା ନିଆଯାଇଥିଲା। ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋନୁଙ୍କ ପରିବାରର ଏତଲାକ୍ରମେ ସଦରଥାନା ପୁଲିସ ଏକ ହତ୍ଯା ମାମଲା ରୁଜୁ କରି ତଦନ୍ତ ଚଲାଇଛନ୍ତି। ଅଭିଯୁକ୍ତ ଦ୍ବୟ ଫେରାର ହୋଇଯାଇଛନ୍ତି। ତେବେ ବାଲି ଚାଲାଣକୁ ନେଇ ସୋନୁ ଓ ଦୁର୍ଗାମାଧବଙ୍କ ମଧ୍ଯରେ ପୂର୍ବରୁ ଅନେକବାର ଝଗଡା ହୋଇଥିବା ଅଭିଯୋଗ ହୋଇଛି।