ସୁନ୍ଦରଗଡ଼ : ୧୨/୪ (ସତ୍ୟାନ୍ୟୁଜ) କୋଇଲା ଖଣିରେ ବୋଲେରୋ ଉପରେ ମାଡ଼ିଗଲା ପୋକଲେନ୍। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ରାୟଗଡ଼ ଜିନ୍ଦଲ ହସପିଟାଲ ସ୍ଥାନାନ୍ତର କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ମଙ୍ଗଳବାର ସକାଳେ ଘଟିଛି।
ମୃତକ ଦ୍ୱୟ ହେଲେ ଅପରେଟର ଉମାକାନ୍ତ ପଟେଲ ଓ ସିଫ୍ଟ ଇନ୍ଚାର୍ଜ ଜଗଦୀଶ ଓରାମ। ଆହତମାନଙ୍କୁ ଉଦ୍ଧାର କରାଯାଇ ଛତିଶଗଡ଼ ସ୍ଥିତ ରାୟଗଡ଼ ଜିନ୍ଦଲ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଛି।
ସିଫ୍ଟ ସରିବା ପରେ ୬ଜଣ କର୍ମଚାରୀ ଗର୍ଜନବାହାଲ କୋଇଲା ଖଣିରୁ ବୋଲେରୋ ଯୋଗେ ଫେରୁଥିଲେ। ଏହି ସମୟରେ କୋଇଲା ଖଣି ଭିତରେ ଏହି ପୋକଲେନ କୋଇଲା ଲୋଡ କରୁଥିଲା। ଅଧିକ କୋଇଲା ଗଦା ହୋଇଥିବାରୁ ପୋକଲେନ୍ଟି ଦେଖି ନପାରି ପଛରେ ଥିବା ବୋଲେରୋ ଉପରେ ମାଡ଼ି ଯାଇଥିଲା।
ଦୁର୍ଘଟଣା ପରେ ବୋଲେରୋଟି ଘଟଣାସ୍ଥଳରେ ଓଲଟି ପଡ଼ିଥିଲା। ବୋଲେରୋରେ ଥିବା ୬ ଜଣ କର୍ମଚାରୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।