ରାଉରକେଲା : ୧୦/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଯୋଗଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।
ଏହି ଜନଶୁଣାଣିରେ ମୋଟ ୧୬୭ ଟି ଅଭିଯୋଗ ଆସିଥିଲା।ସେଥିମଧ୍ୟରୁ ୧୪୬ ବ୍ୟକ୍ତିଗତ ସମସ୍ୟା ଥିଲାବେଳେ ୨୧ ଗୋଟି ସାମୁହିକ ସମସ୍ୟା ଥିଲା। ସେଥିମଧ୍ୟରୁ ୧୩ଟିର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ତୁରନ୍ତ ବିଚାର କରାଯାଇ ଆଶୁ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବିଶ୍ରା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଲୋକମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସେଥିମଧ୍ୟରେ ରହିଥିଲା ଆବାସ ଯୋଜନା ଅଧୀନରେ ଘର,ଜମି ଜାଗା, ରାସ୍ତା ଓ ଡ୍ରେନ ନିର୍ମାଣ, ପାନୀୟ ଜଳ, ବିଦ୍ୟୁତ, ରାସନ କାର୍ଡ, ସ୍ୱାସ୍ଥ୍ୟ, ଅଙ୍ଗନବାଡ଼ି ଏବଂ ସ୍କୁଲ ଆଦି ସମସ୍ୟା।
ଏହି ଅବସରରେ ୧୦ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧ ଲକ୍ଷ ୭୫ ହଜାର ଟଙ୍କା ଆଥିର୍କ ସହାୟତା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକ୍ରମ କେଶରୀ ଭୋଇ, ଅତିରିକ୍ତ ଉପଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲୁ, ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀ ରାଣୀ ନାୟକ ଏବଂ ବିଶ୍ରା ବିଡିଓ ଅଂଶୁମାନ ଦାସ ଙ୍କ ସମେତ ବିଭିନ୍ନ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲେ।