ରାଇରଙ୍ଗପୁର : ସ୍ୱତନ୍ତ୍ର ଜିଲ୍ଲା ଦାବିରେ ୧୨ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ଶାନ୍ତିପୂର୍ଣ୍ଣ।। ବନ୍ଦ ଡାକରା ଦେଇଛି ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି।
ରାଇରଙ୍ଗପୁର : ୧୦/୪ (ସତ୍ୟାନ୍ୟୁଜ) ରାଇରଙ୍ଗପୁରକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀରେ ସୋମବାର ଦିନ ଦିଆଯାଇଥିବା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ରାଇରଙ୍ଗପୁର ଉପଖଣ୍ଡ ର ସମସ୍ତ ବ୍ଲକ ସମେତ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଯାନ ବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ୧୨ଘଣ୍ଟିଆ ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ବ୍ୟବସାୟିକ ପ୍ରତିଷ୍ଠାନ ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ , ଶିକ୍ଷାନୁଷ୍ଠାନ , ବ୍ୟାଙ୍କ, ପୋଷ୍ଟ ଅଫିସ, ଯାତ୍ରୀବାହୀ ବସ୍,ଘରୋଇ ଯାନବାହାନ,ପେଟ୍ରୋଲ ପମ୍ପ, ଆଦି ବନ୍ଦ ରହିଛି। ଟାଟା-ବାଦମପାହାଡ ପ୍ୟାସେଞ୍ଜର ଟ୍ରେନ୍ ସହ ମାଲବାହୀ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଆଜି ହେବାକୁ ଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ମଧ୍ୟ ବାତିଲ କରାଯାଇଥିବା ଜଣାପଡିଛି। ଅତ୍ୟାବଶ୍ୟକ ସେବା , ଆମ୍ବୁଲାନ୍ସ, ମେଡିକାଲ ଆଦି ଖୋଲା ରହିଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆନ୍ଦୋଳନରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ,ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ବାର ସଂଘ ସଭାପତି ଅକ୍ଷୟ ମହାନ୍ତିଙ୍କ ସମେତ ବିଭିନ୍ନ ଦଳୀୟ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ।