ରାଉରକେଲା : ୯/୪ (ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ ପୁଲିସ ଥାନା ପରିସରରେ ଥିବା ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ଠାରେ ରାଉରକେଲା ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରକୁ ହାଇଟେକ୍ ଗୃପ୍ ଅଫ୍ ଇନଷ୍ଟିଚୁଟର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଓ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମିଳିତ ଭାବେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ । ଏହି ଉତ୍ସବରେ ହାଇଟେକ୍ ମେଡ଼ିକାଲ କଲେଜର ଓ ହସ୍ପିଟାଲର ମୁଖ୍ୟ ନିର୍ବାହୀ ଅଧିକାରୀ ଡକ୍ତର ସୁଶାନ୍ତ କୁମାର ଆଚାର୍ଯ୍ୟ ମେଡିକାଲ, ଡାଇରେକ୍ଟର ଡକ୍ଟର ଅଶିମ ସୁଦ୍ କ୍ଲିନିକାଲ ଡାଇରେକ୍ଟର ଡଃ ଶ୍ରଦ୍ଧାନନ୍ଦ ମହାପାତ୍ର, ହୃଦ ବିଭାଗର ପ୍ରଫେସର ଡକ୍ଟର ମହମ୍ମଦ ଓ୍ବାହିଦ ସୁଲତାନ, ଡକ୍ଟର ସୌମେନ ବେହେରା, ବରିଷ୍ଠ ନାଗରିକମାନଙ୍କର ସଭାପତି ମହେନ୍ଦ୍ର ମହାନ୍ତି, ସଂପାଦକ ବିଜୟ ବରାଳ ପ୍ରମୁଖ ମଞ୍ଚାସୀନ ଥିଲେ । ଏଠାରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ଭେଷଜ ବିଭାଗ, ଚକ୍ଷୁ, ଦନ୍ତ, ହୃଦ ବିଭାଗ ଶଲ୍ଯବିଭାଗର ଡାକ୍ତରମାନେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସଙ୍ଗେ ସଙ୍ଗେ ଔଷଧ ମଧ୍ଯ ବିତରଣ କରିଥିଲେ । ଏଥିରେ ତିନି ଶହରୁ ଊର୍ଦ୍ଧ ବରିଷ୍ଠ ନାଗରିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏତଦବ୍ୟତୀତ ଡଃ ତିରୁପତି ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକମାନଙ୍କର ଏପରି ସ୍ବାସ୍ଥ୍ୟ ପରୀକ୍ଷା ବିଭିନ୍ନ ସମୟରେ ହାଇଟେକ୍ ତରଫରୁ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ । ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏକ ସ୍ବାସ୍ଥ୍ୟ କାର୍ଡ ମଧ୍ଯ ସଭାପତିଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ନୋଡାଲ ଅଫିସର ମହେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ତାପରେ ହାଇଟେକର କାଜୁଆଲିଟି ବିଭାଗର ଡକ୍ଟର ଶ୍ରଦ୍ଧାନନ୍ଦ ମହାପାତ୍ର ଫିତା କାଟି ଉଦଘାଟନ କରିଥିଲେ । ରୋଟାରୀ ରିଭର ସାଇଡ ତରଫରୁ ଚକ୍ଷୁ ଅସ୍ତ୍ରୋଚାର ହୋଇ ଥିବା ରୋଗୀମାନଙ୍କର ନିମନ୍ତେ ଏକ ଛତା ହାଇଟେକକୁ ପ୍ରଦାନ କରାଯାଇଥିଲା ।