ଝାରସୁଗୁଡା : ୬/୪ (ସତ୍ୟାନ୍ୟୁଜ) ଏବେ ସଡକ ଦୁର୍ଘଟଣାରେ ଗାଡିରେ ନିଆଁ ଲାଗି ଜୀବନହାନି ଘଟିବା ବହୁ ଘଟଣା ସାମ୍ନା କୁ ଆସୁଛି। ଗତକାଲି ବିଳମ୍ବିତ ରାତିରେ ଏପରି ଏକ ଘଟଣା ଘଟିଛି ଝାରସୁଗୁଡା ନିକଟ ୪୯ ନମ୍ବର ଜାତୀୟ ରାଜପଥରେ।
ମିଳିଥିବା ସୂଚନା ଅନୁଯାୟୀ ଝରସୁଗୁଡା ସଦର ଥାନା ନିକଟ ଜାତୀୟ ରାଜପଥ ୪୯ରେ ଗତକାଲି ବିଳମ୍ବିତ ରାତିରେ ତିନୋଟି ଟ୍ରକ ପରସ୍ପରକୁ ଧକ୍କା ଦେବାରୁ ଏହି ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣାରେ ୩ଟି ଟ୍ରକ୍ ଜଳି ଯାଇଥିବା ବେଳେ ଡ୍ରାଇଭର ୩ ଜଣ ମଧ୍ୟ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ପରେ ଜାତୀୟ ରାଜପଥ ୪୯ରେ ଗୋଟିଏ ଦିଗରେ ୨ଟି ଟ୍ରକ୍ ଯାଉଥିବା ବେଳେ ପରସ୍ପରକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଅପରପାର୍ଶ୍ୱରୁ ଏକ ଟ୍ରକ୍ ଆସୁଥିଲା। ଫଳରେ ଭାରସାମ୍ୟ ହରାଇ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା ୨ ଟ୍ରକ୍ ଅପର ପାର୍ଶ୍ୱରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ପିଟି ହୋଇଥିଲେ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣା ପରେ ୩ଟି ଟ୍ରକ୍ ହୁତୁହୁତ ହୋଇ ଜଳିବାକୁ ଲାଗିଲେ। ଫଳରେ ତା’ ମଧ୍ୟରେ ଫସି ରହିଥିବା ୩ ଡ୍ରାଇଭର ବାହାରି ନପାରି ଜୀଅନ୍ତା ଜଳି ଯାଇଥିଲେ।
ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବାକୁ ୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା।
ସକାଳେ କ୍ରେନ ସାହାଯ୍ୟରେ ଟ୍ରକ୍ ୩ଟିକୁ ରାସ୍ତା ପାର୍ଶ୍ୱକୁ ନିଆଯାଇ ସେଥିମଧ୍ୟରୁ ୩ ଡ୍ରାଇଭରଙ୍କୁ ବାହାର କରାଯାଇଥିଲା। ତୁରନ୍ତ ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।
୩ଟି ଟ୍ରକ୍ ରାସ୍ତା ଉପରେ ଦୀର୍ଘ ସମୟ ଜଳିବାରୁ ବହୁ ସମୟ ପର୍ଯ୍ୟନ୍ତ ରାସ୍ତା ଉପରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ଗାଡ଼ିଗୁଡ଼ିକୁ ସାଇଡ କରାଯିବା ପରେ ସକାଳେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ୩ ମୃତକଙ୍କ ପରିଚୟ ମିଳି ପାରିନି।