ମଧ୍ୟପ୍ରଦେଶ: ମହାଦେବ ମନ୍ଦିରରେ ଛାତ ଭୁଶୁଡି କୂଅରେ ପଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି।। ଉଦ୍ଧାର କାର୍ଯ୍ୟ ଏବେବି ଜାରି।

0 417

ମଧ୍ୟପ୍ରଦେଶ : ୩୧/୩ (ସତ୍ୟାନ୍ୟୁଜ) ରାମନବମୀରେ ଇନ୍ଦୋର ବେଲେଶ୍ୱର ମହାଦେବଙ୍କ ମନ୍ଦିରର କୂଅ ଛାତ ଭୁଶିଡି ପଡିବା ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୫ ରେ ପହଁଚିଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଉ କିଛି ଲୋକ କୂଅ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି।
ମନ୍ଦିର ପରିସରରେ ଥିବା ୪୦ ଫୁଟ ଗଭୀର କୂଅ ଉପରେ ରହିଥିବା ଛାତ ଗୁରୁବାର ଅଚାନକ ଭୁଶୁଡ଼ି ପଡ଼ିଥିଲା। ହୋମ ଯଜ୍ଞ ଚାଲିଥିବା ବେଳେ ଏପରି ଘଟଣା ଘଟିଥିଲା। ଫଳରେ ପ୍ରାୟ ୫୦ ଜଣ ଲୋକ କୂଅ ମଧ୍ୟରେ ଖସି ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାରର ଉଦ୍ୟମ କରାଯାଇଥିଲେ ହେଁ ୩୫ ଜଣ ପ୍ରାଣ ହରାଇ ସାରିଲେଣି।
ଇନ୍ଦୋର ଜିଲ୍ଲାପାଳ ଇଲାୟାରାଜା ଟି କହିଛନ୍ତି, “ଏଯାଏ ମୋଟ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୧୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ହସ୍ପିଟାଲ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ଚିକିତ୍ସା ପରେ ଘରକୁ ମଧ୍ୟ ଚାଲି ଯାଇଛନ୍ତି। ଏବେ ଜଣେ ଲୋକ ନିଖୋଜ ରହିଛନ୍ତି। ତାଙ୍କୁ ଠାବ କରିବା ପାଇଁ ପ୍ରୟାସ କରାଯାଉଛି। ଗୁରୁବାର ମଧ୍ୟାହ୍ନ ରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ ଏବେ ବି ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ଠାରୁ ରାଜ୍ୟର ସବୁ ଟିମ ସାମିଲ ହୋଇଛନ୍ତି।”
ଗୋଟିଏ ଘରୋଇ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିବା ଏହି ମନ୍ଦିରଟି ସ୍ନେହ ନଗର ଠାରେ ରହିଛି। ଇନ୍ଦୋରର ଏହି ଅଞ୍ଚଳଟି ସବଠାରୁ ପୁରୁଣା ଆବାସିକ ସ୍ଥାନ ଭାବେ ପରିଚିତ। ମନ୍ଦିର ବିପଦସଙ୍କୁଳ ଅବସ୍ଥାରେ ଥିବା ସ୍ଥାନୀୟ ଲୋକମାନେ ବାରମ୍ବାର ଇନ୍ଦୋର ପୌରପାଳିକାକୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି।
ରାମନବମୀ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ହୋମ ଯଜ୍ଞ କରାଯାଉଥିଲା। ସିମେଣ୍ଟର ଚଟାଣ ଉପରେ ଏହି ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ୫୦ରୁ ୬୦ ଲୋକ ଏହା ଉପରେ ବସିଥିଲେ। ଚଟାଣ ତଳେ ୪୦ ଫୁଟ ଗଭୀର କୂଅ ବା ଷ୍ଟେପ ୱେଲ ରହିଥିଲା।
ଯଜ୍ଞ ଚାଲୁଥିବା ବେଳେ ହଠାତ୍‌ କୂଅର ଛାତ ଲୋକଙ୍କ ଓଜନ ସହି ନପାରି ଭୁଶୁଡ଼ି ପଡ଼ିଥିଲେ। ଫଳରେ ପ୍ରାୟ ୫୦ ଜଣ ଲୋକ ୪୦ ଫୁଟ ଗଭୀର କୂଅକୁ ଖସି ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ୩୫ ଜଣଙ୍କ ମୃତ୍ୟୁ ଘଟିଛି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ହୃଦୟବିଦାରକ ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.