ରାଉରକେଲା : ଓଡ଼ିଶା ପରିବହନ ସଚିବ ଉଷା ପାଢ଼ୀ ଙ୍କ ବିମାନ ଦୁର୍ଘଟଣାର ସମୀକ୍ଷା।। ଡିଜିସିଏ ଏବଂ ଏଏଆଇବି ଟିମ୍ ସହ ଆଲୋଚନା।

0 110

ରାଉରକେଲା:୧୧/୧(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଜଲଦା ଅଞ୍ଚଳରେ ଗତକାଲି ଘଟିଥିବା ବିମାନ ଦୁର୍ଘଟଣା ସ୍ଥଳକୁ ରବିବାର ଓଡ଼ିଶା ପରିବହନ ସଚିବ ଉଷା ପାଢ଼ୀ ପରିଦର୍ଶନ କରି ପରିସ୍ଥିତି ସମୀକ୍ଷା କରିଥିଲେ। ସେଠାରେ ଚାଲୁଥିବା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ ମଧ୍ୟ କରିଥିଲେ।
ଏହି ଦୁର୍ଘଟଣାରେ ୪ ଯାତ୍ରୀ ଓ ୨ ଜଣ କ୍ରୁ ସଦସ୍ୟ ସହ ମୋଟ ୬ ଜଣ ଆହତ ହୋଇଥିଲେ। ପରିବାରର ଅନୁରୋଧକ୍ରମେ ଗୁରୁତର ଆହତ ୨ ଯାତ୍ରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି।
ଆହତ ଯାତ୍ରୀମାନଙ୍କ ମଧ୍ୟରେ ଅନିତା ସାହୁ (୫୦), ସବିତା ଅଗରୱାଲ (୩୫), ସୁନୀଲ ଅଗରୱାଲ (୪୦), ସୁଶାନ୍ତ କୁମାର ବିଶ୍ୱାଳ (୪୬), ପାଇଲଟ୍ ନବୀନ କଡ଼ଙ୍ଗା (୪୬) ଓ କୋ–ପାଇଲଟ୍ ତରୁଣ ଶ୍ରୀବାସ୍ତବ (୪୬) ଅଛନ୍ତି। ସବିତା ଅଗରୱାଲ ଓ ସୁନୀଲ ଅଗରୱାଲଙ୍କୁ ମୁମ୍ବାଇ ପଠାଯାଇଥିବା ବେଳେ ଅନ୍ୟମାନେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ଏବଂ ବିପଦମୁକ୍ତ ବୋଲି ଅଧିକାରୀମାନେ କହିଛନ୍ତି।
ପରିଦର୍ଶନ ସମୟରେ ପ୍ରଧାନ ସଚିବ ଉଷା ପାଢ଼ୀ ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କ ସହ ସମନ୍ୱୟ କରି ଉଦ୍ଧାର କାର୍ଯ୍ୟ, ଚିକିତ୍ସା ବ୍ୟବସ୍ଥା ଓ ସୁରକ୍ଷା ପଦକ୍ଷେପର ସମୀକ୍ଷା କରିଥିଲେ।
ଅନ୍ୟପକ୍ଷରେ ଗତକାଲି ବିମାନ ଦୁର୍ଘଟଣା ପରେ ନିଜ ଜୀବନ କୁ ବାଜି ଲଗାଇ ବିମାନ ଯାତ୍ରୀ ଏବଂ ପାଇଲଟ୍ ଙ୍କୁ ଉଦ୍ଧାର କରିଥିବା
ଗ୍ରାମବାସୀ ଙ୍କୁ ଜିଲ୍ଲାପାଳ ଡକ୍ତର ଶୁଭଙ୍କର ମହାପାତ୍ର ଏବଂ ଉଷା ପାଢ଼ୀ ଧନ୍ୟବାଦ ଦେଇଥିଲେ। ଜିଲ୍ଲାପାଳ ଏବଂ ପରିବହନ ସଚିବଙ୍କ ପ୍ରଶଂସା ପାଇ ଗ୍ରାମ ବାସୀ ବେଶ୍ ଖୁସି ଅଛନ୍ତି ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ପୂର୍ଣ୍ଣ ଘଟଣାକୁ ବ୍ୟକ୍ତିଗତ ଭାବେ ନଜର ରଖିଛନ୍ତି ଏବଂ ଆହତମାନଙ୍କ ପାଇଁ ତୁରନ୍ତ ଚିକିତ୍ସା, ଲଜିଷ୍ଟିକ୍ ସହାୟତା ଓ ସମନ୍ୱିତ ପ୍ରଶାସନିକ କାର୍ଯ୍ୟ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
“ସମସ୍ତ ଆବଶ୍ୟକ ବ୍ୟବସ୍ଥାକୁ ପ୍ରାଥମିକତା ଭିତ୍ତିରେ କରାଯାଇଛି,” ବୋଲି ଉଷା ପାଢ଼ୀ କହିଛନ୍ତି। ଆହତମାନଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିବା ପାଇଁ
୨ ଜଣିଆ ଚିକିତ୍ସକ ଦଳ ନିଯୁକ୍ତ କରାଯାଇଛି ଏବଂ ଜିଲ୍ଲା ସ୍ତରରେ ଆପାତକାଳୀନ ଚିକିତ୍ସା ବ୍ୟବସ୍ଥା ସକ୍ରିୟ କରାଯାଇଛି।
ଏହାସହିତ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଡିଜିସିଏ (DGCA) ଓ ଏଏଏଇବି (AAIB) ଟିମ୍‌ଗୁଡ଼ିକୁ ଘଟଣା ସ୍ଥଳରେ ଯାଞ୍ଚ ପାଇଁ ସୁବିଧା ଯୋଗାଇ ଦିଆଯାଇଛି। ସୁରକ୍ଷା ନିୟମାବଳୀର କଡ଼ାକଡ଼ି ପାଳନ ସହ ସମସ୍ତ ସଂପୃକ୍ତ ଏଜେନ୍ସି ସହ ପରିବହନ ସଚିବ ନିରନ୍ତର ସମନ୍ୱୟ ରଖିଛନ୍ତି।

Leave A Reply

Your email address will not be published.