ରାଉରକେଲା/ଝାରସୁଗୁଡା : ସହର ମଧ୍ୟରେ ପଶିଲେ ହାତୀ ପଲ୍ଲ।। ସହରବାସୀ ଆତଙ୍କିତ।। ବନ ବିଭାଗ ନଜର ରଖୁଛି ହାତୀଙ୍କ ଗତିବିଧି।
ରାଉରକେଲା : ୨୬/୩ (ସତ୍ୟାନ୍ୟୁଜ) ଏବେ ହାତୀ ସହର ମୁହାଁ। କିଛିଦିନ ତଳେ କେତୋଟି ହାତୀ ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ ଉପରକୁ ଆସି ବୁଲୁଥିଲେ। ପୂର୍ବରୁ ରାଉରକେଲା ସହରରେ ମଧ୍ୟ ହାତୀ ପଲ୍ଲ ପଶି ୧୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିର୍ସ। ମଇଦାନରେ ରହିଥିଲେ। ଏବେ ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ସହରରେ ହାତୀ ପଲ୍ଲ ବୁଲିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ହାତୀ ପଲରେ ୧୨ଟି ହାତୀ ଥିବାର ଜଣାପଡିଛି। ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସହରବାସୀ ଆତଙ୍କିତ ହୋଇ ପଡିଥିଲେ।
ସହର ଭିତରେ ହାତୀ ପଲ୍ଲ ବୁଲୁ ଥିବାର ଖବର ପାଇ ପହଞ୍ଚିଥିଲେ ବନ ବିଭାଗ କର୍ମଚାରୀ। ପୁଲିସ୍ ସହାୟତାରେ ସେମାନେ ହାତୀଙ୍କୁ ଘଉଡ଼ାଇଥିଲେ।ଏହି ହାତୀ ପଲ୍ଲ ନିକଟରେ ଥିବା ଜଙ୍ଗଲକୁ ପଳାଇଯାଇଥିବା ଝାରସୁଗୁଡ଼ା ବନଖଣ୍ଡ ରେଞ୍ଜର ରମେଶ ଚନ୍ଦ୍ର ନାଥ କହିଛନ୍ତି।
ରେଞ୍ଜର କହିଛନ୍ତି, ପ୍ରଧାନ ରେଞ୍ଜରେ ଏହି ହାତୀ ପଲ୍ଲ ଥିଲେ। ଗତକାଲି ରାତିରେ ଡମରା ଓ ଷ୍ଟେସନ ଦେଇ ଝାରସୁଗୁଡ଼ା ଟାଉନ ଭିତରକୁ ପଶି ଆସି ମଙ୍ଗଳ ବଜାର ହସପିଟାଲ ପାଖରେ ଅବସ୍ଥାନ କରୁଥିଲେ । ବନ ବିଭାଗ କର୍ମଚାରୀ ପହଞ୍ଚି ଏହି ହାତୀ ପଲକୁ ଘଉଡାଇଥିଲେ। ଏହି ହାତୀ ପଲ ମୁଙ୍ଗାପଡା, ସରବାହାଲ ଓ ବୃନ୍ଦାମାଲ ରାସ୍ତା ଦେଇ ବୁର୍ଖାମୁଣ୍ଡାର ଗ୍ରାମ୍ୟ ଜଙ୍ଗଲରେ ପ୍ରବେଶ କରିଛନ୍ତି। ଏହି ହାତୀ ପଲରେ ୧୨ଟି ହାତୀ ଅଛନ୍ତି। ସେମାନଙ୍କ ମଧ୍ୟରେ କିଛି ଛୁଆ ହାତୀ ମଧ୍ୟ ଅଛନ୍ତି।
ଖାଦ୍ୟ ଅନ୍ୱେଷଣଣେ ଏହି ହାତୀ ପଲ୍ଲ ସହର ଭିତରକୁ ପଶି ଆସିଥିବା ଅନୁମାନ କରାଯାଉଛି। ଏବେ ନିୟମିତ ଅନ୍ତରାଳରେ ହାତୀ ପଲ୍ଲ ସହର ମଧ୍ୟରେ ପ୍ରବେଶ କରୁଥିବାରୁ ବନ ବିଭାଗ ଲାଗି ଚିନ୍ତାର ବିଷୟ ହୋଇଛି।