ରାଉରକେଲା : ଅଗ୍ରସେନ ଭବନରୁ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କଲା ପୋଲିସ।। ୫ ଗିରଫ। ୪ ଲକ୍ଷ ଟଙ୍କା ମୂଲ୍ୟର ଚୋରି ସୁନା ଗହଣା ଜବତ।
ରାଉରକେଲା : ୨୫/୩ (ସତ୍ୟାନ୍ୟୁଜ) ରାଉରକେଲା ରଘୁନାଥପାଲି ଥାନା ପୋଲିସ ୫ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରିଛନ୍ତି। ଗିରଫ ଚୋର ମାନଙ୍କ ଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ସୁନାଗହଣା , ମୋବାଇଲ ଫୋନ , ସ୍ମାର୍ଟ ୱାଚ ଜବତ କରିଛନ୍ତି। ଏହି ଚୋର ମାନେ ୧୨ ମାର୍ଚ୍ଚ ରାତିରେ ମହାରାଜା ଅଗ୍ରସେନ ଭବନର ଉପର ତାଲାରୁ ସୁନା ଗହଣା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିଲେ। ଏହା ସହ ନଗଦ ୨୫ ହଜାର ଟଙ୍କା ମଧ୍ୟ ନେଇଯାଇ ଥିଲେ। ଅଗ୍ରସେନ ଭବନରେ ଏକ ବାହାଘର ଚାଲିଥିବା ବେଳେ ଏହି ଚୋରି ହୋଇଥିଲା। ଚୋର ମାନେ ଉକ୍ତ ଦିନ ସେଠାରେ ୱେଟର ଭାବେ କାମ କରୁଥିଲେ। ସୁଯୋଗ ଦେଖି ରୁମ ଭିତରେ ପଶି ସୁନା ଗହଣା ସହ ମୂଲ୍ୟବାନ ସାମଗ୍ରୀ ନେଇ ଯାଇଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କରିଛନ୍ତି। ଏହି ଚୋର ମାନଙ୍କ ନାମରେ ସହରର ବିଭିନ୍ନ ଥାନାରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।