ରାଉରକେଲା : ଉତ୍କଳ ଦିବସ ପାଳନ ଲାଗି ପ୍ରସ୍ତୁତି ବୈଠକ।। କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ କମିଟି ଗଠନ।

0 302

ରାଉରକେଲା :୨୦/୩ (ସତ୍ୟାନ୍ୟୁଜ) ଅପ୍ରେଲ ୧ ତାରିଖ ଦିନ ଉତ୍କଳ ଦିବସ ପାଳନ ପାଇଁ ରାଉରକେଲା ପ୍ରଶାସନ ପକ୍ଷରୁ ଉଦିତନଗର ସ୍ଥିତ ଆଇଟିଡିଏ ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରସ୍ତୁତି ବୈଠକରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଡକ୍ଟର ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ କୁଲ୍ଲୁ, ରାଉରକେଲା ଇସ୍ପାତ କାରଖାନାର ଜେନେରାଲ ମ୍ଯାନେଜର ବିଜୟ କୁମାର ରାଉଳ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କା ଯୋଗଦେଇ ଉତ୍କଳ ଦିବସ ପାଳନ ସମ୍ପର୍କରେ ବିଭିନ୍ନ ସଙ୍ଗଠନ ଓ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ। ଉତ୍କଳ ଦିବସରେ ସକାଳ ୫ଟାରେ ଉତ୍କଳ ଜନନୀଙ୍କ ବନ୍ଦନା, ୭ଟାରେ ଶୋଭାଯାତ୍ରାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ସଂଘ ଓ ସମିତି ଭାଗ ନେବାର କାର୍ଯ୍ଯକ୍ରମ ରହିଛି। ଏହାପରେ ରାଉରକେଲା ମହାନିଗମ ଦ୍ୱାରା ସଫେଇ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ। ସକାଳ ୮ଟା ୩୦ରେ ମୁଖ୍ୟ ଅତିଥି ତଥା ନେତୃସ୍ଥାନୀୟ ବ୍ଯକ୍ତିଙ୍କ ଦ୍ଵାରା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବା ସହିତ ପରେ ପରେ ରାଉରକେଲା ମହାନଗର ନିଗମ ଦ୍ବାରା ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥଳର ପରିସ୍କାର ପରିଚ୍ଛନ୍ନତା ଓ ରଙ୍ଗ ବ୍ଯବସ୍ଥା ସହିତ ସାଜସଜ୍ଜା କରାଯିବାର କାର୍ଯ୍ଯକ୍ରମ ରହିଛି।ତା’ପରେ ଇସ୍ପାତ କାରଖାନାର ସହରସେବା ବିଭାଗର ଉପ-ମହାପ୍ରବନ୍ଧକ, ଆରଡିଏ କତ୍ତୃପକ୍ଷ, ଗଲଫ ଅଏଲ କର୍ପୋରେସନ, ଗୋପବନ୍ଧୁ ଓ୍ବେଲଫେୟାର ଟ୍ରଷ୍ଟ ଓ ଆରଏମସି ଦ୍ବାରା ଅନ୍ଯାନ୍ଯ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ସାଜସଜ୍ଜା ସହିତ ମାଲ୍ଯାର୍ପଣ କାର୍ଯ୍ଯକ୍ରମ ରହିଛି। ବିଭିନ୍ନ ଅନୁଷ୍ଠାନ ଓ ସଂଘ ଦ୍ବାରା ପାନୀୟ ଜଳ ଏବଂ ଫଳ ବଣ୍ଟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ। ଟ୍ରାଫିକ୍ ବ୍ଯବସ୍ଥା ଆରକ୍ଷୀ ବାହିନୀ ନିୟନ୍ତ୍ରଣରେ ରହିବା ସହିତ ପରିବହନ ବ୍ଯବସ୍ଥା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିୟନ୍ତ୍ରଣରେ ରହିବ। ଓଡ଼ିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳୀ କାର୍ଯ୍ଯକ୍ରମ ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ବାରା କରାଯିବାର କାର୍ଯ୍ଯକ୍ରମ ରହିଛି। ସହରରେ ପ୍ରମୁଖ ସ୍ଥାନରେ ତୋରଣ ନିର୍ମାଣ ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ବାରା ପ୍ରତିପାଦିତ ହେବ। ସନ୍ଧ୍ୟାରେ ମେଧା ପ୍ରତିଯୋଗିତାରେ ଓଡ଼ିଆ ବକ୍ତୃତା ଓ ପ୍ରବନ୍ଧରେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ଯକ୍ରମ ରହିଛି। ଏହାପରେ “ମଧୁସୂଦନ ସ୍ମୃତି ସମ୍ମାନ” ଓ ଅନ୍ୟାନ୍ୟ ପୁରସ୍କାର ବଣ୍ଟନ ନିମନ୍ତେ କମିଟି ଗଠନ କରାଯିବା ପାଇଁ ସ୍ଥିରିକୃତ କରାଯାଇଛି। ଏହି କମିଟି ନିଷ୍ପତ୍ତି ଅନୁସାରେ ପ୍ରକୃତ ବ୍ଯକ୍ତିଙ୍କୁ ସମ୍ମାନ ପ୍ରଦାନ କରାଯିବ। କାର୍ଯ୍ଯକ୍ରମର ସୁପରିଚାଳନା ନିମନ୍ତେ କମିଟି ଗଠନ କରାଯାଇଛି। ଉତ୍କଳ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ସମାହିତ ହେବା ପାଇଁ ଆଜି ବୈଠକରେ ସ୍ଥିରିକୃତ ହୋଇଛି।

Leave A Reply

Your email address will not be published.