ରାଉରକେଲା : ଡ୍ରାଇଭର ମହାସଙ୍ଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଭାବିତ।। ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ।
ରାଉରକେଲା/ବଣାଇ : ୧୫/୩ (ସତ୍ୟାନ୍ୟୁଜ) ୧୦ ଦଫା ଦାବି ନେଇ ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଦିଆ ଯାଇଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ବୁଧବାର ସକାଳୁ ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ବଣାଇ ନିକଟରେ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇ ଧାରଣା ଦିଆଯାଇଛି। ଏହା ସହ ଗୁରୁଣ୍ଡିଆ , ଲହୁଣୀପଡ଼ା , ରାଜାମୁଣ୍ଡା ଆଦି ସ୍ଥାନରେ ମଧ୍ୟ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ମାନେ ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି।
ଡ୍ରାଇଭରଙ୍କ ସୁରକ୍ଷା ନିମନ୍ତେ ସୁତନ୍ତ୍ର ଆଇନ , ପ୍ରତି ୧୦୦ କିଲୋମିଟର ରେ ବିଶ୍ରାମଗାର ସହ ଶୌଚାଳୟ , ୫୫ ବର୍ଷ ପରେ ପେନସନ, ଦୁର୍ଘଟଣା ଜନତି କ୍ଷତି ଲାଗି ୨୦ ଲକ୍ଷ, ଚିକିତ୍ସା ଲାଗି ୫ଲକ୍ଷ ଆଦି ଦାବି କରାଯାଇଛି। ଏହାଛଡା ଗାଡି ଚଳାଇବା ଲାଗି ସମୟ ସୀମା ଧାର୍ଯ୍ୟ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ଆନ୍ଦୋଳନରେ ଗଣମାଧ୍ୟମ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା ସହ ଅନ୍ୟ କେତକ ଗୁରୁତ୍ୱପୂର୍ଣ୍ଣ ସେବାକୁ ବାଦ ଦିଆଯାଇଛି।