ସୁନ୍ଦରଗଡ଼: ୪/୨(ସତ୍ୟାନ୍ୟୁଜ) ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସିଂଗ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ଅଂଶୁଘାତ ର ମୁକାବିଲା ସହିତ ଜଳ ସମସ୍ୟା ର ସମାଧାନ ଦିଗରେ ବିଶେଷ ଧ୍ୟାନ ଦିଆଯିବାକୁ ଗୁରୁତ୍ୱାରୋପ କରାଯାଇଥିଲା I ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିଜ ନିଜ ଅଞ୍ଚଳରେ ଜଳ ସମସ୍ୟା ଦୁରୀକରଣ ନିମନ୍ତେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା I ସେହିପରି ଅଚଳ କିମ୍ବା ଖରାପ ହୋଇଯାଇଥିବା ନଳକୂପ ଗୁଡିକ ଶୀଘ୍ର ମରାମତି କରାଯିବାକୁ କୁହାଯାଇଥିଲା ଏବଂ ଜଳ ସମସ୍ୟା ଥିବା ଅଞ୍ଚଳ ଗୁଡିକ ଶୀଘ୍ର ଚିହ୍ନଟ କରାଯାଇ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇଦେବା ଏବଂ ପ୍ରମୁଖ ସ୍ଥାନ ମାନଙ୍କରେ ଜଳଛତ୍ରମାନ ଖୋଲା ଯିବା , ଜଙ୍ଗଲ ନିଆଁ ପ୍ରତି ବିଶେଷ ଧ୍ୟାନ ଦେବା, ପଶୁ ପକ୍ଷୀ ଙ୍କ ନିମନ୍ତେ ଜଳ ବ୍ୟବସ୍ଥା ଆଦି ନେଇ ବୈଠକ ରେ ଆଲୋଚନା କରାଯାଇଥିଲା।
ସେହିପରି ଅଂଶୁଘାତ ର ମୁକାବିଲା ନିମନ୍ତେ ସମସ୍ତ ଡାକ୍ତରଖାନା ମାନଙ୍କରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବା, ସ୍ଵତନ୍ତ୍ର ଅଂଶୁଘାତ ୱାର୍ଡ ପ୍ରସ୍ତୁତ ରଖିବା, ଆବଶ୍ୟକୀୟ ପରିମାଣରେ ଓ. ଆର୍.ଏସ୍ . ପ୍ୟାକେଟ୍ ,ଔଷଧ, ବରଫ ପ୍ୟାକେଟ୍ ଆଦି ମହଜୁଦ ରଖିବା କୁ ସ୍ୱାସ୍ଥ୍ୟ ବିଭାଗ କୁହାଯାଇଥିଲା I ସେହିପରି ସକାଳୁଆ ସ୍କୁଲ ବିଷୟରେ ଆଲୋଚନା କରାଯାଇଥିଲା I ସମସ୍ତ ସ୍କୁଲ ମାନଙ୍କରେ ଯଥେଷ୍ଟ ପରିମାଣରେ ପାନୀୟ ଜଳ, ଓ. ଆର୍. ଏସ୍ ବ୍ୟବସ୍ଥା କରିବାକୁ କୁହାଯାଇଥିଲା I
ସେହିପରି ସକାଳ ୧୧ଟା ରୁ ଦିନ ୩ତା ୩୦ ମିନିଟ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କ କାମ କୁ ବାରଣ କରାଯାଇଛି। ଏହି ସମୟ ମାନଙ୍କରେ ଜରୁରୀ କାମ ନଥିଲେ ବାହାରକୁ ନ ବାହାରିବା ନିମନ୍ତେ ଜନସଚେତନତା କରାଯିବାକୁ ଆଲୋଚନା କରାଯାଇଥିଲା। ଯାତ୍ରୀବାହୀ ବସ୍ ମାନଙ୍କରେ ପାନୀୟ ଜଳ ସହ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆଂଚଳିକ ପରିବହନ କାର୍ଯ୍ୟାଳୟ କୁ କୁହାଯାଇଥିଲା I
ଅଂଶୁଘାତର ମୁକାବିଲା ନିମନ୍ତେ ଶୀଘ୍ର ବ୍ଲକ ସ୍ତର ରୁ ଜିଲ୍ଲା ସ୍ତର ରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା I ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ମୁନିସିପାଲିଟି ର ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇଥିଲେ I