ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନ ଶୁଣାଣି।। ୮୭ ଅଭିଯୋଗରୁ ୧୪ଟିର ତୁରନ୍ତ ସମାଧାନ।
ରାଉରକେଲା/କୁଆରମୁଣ୍ଡା, ୨୧/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ ଯୁଗ୍ମ ଜନଶୁଣାଣିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ପ୍ରତ୍ୟୁଷ ଦିବାକର ଯୋଗଦେଇ ସାଧାରଣ ଲୋକଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ।
କୁଆରମୁଣ୍ଡା ବ୍ଲକରେ ଆୟୋଜିତ ଜନଶୁଣାଣିରେ ମୋଟ ୮୭ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୪ଟିର ସମାଧାନ ତୁରନ୍ତ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରି ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଜନଶୁଣାଣିରେ କୁଆରମୁଣ୍ଡା ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଲୋକମାନେ ଯୋଗ ଦେଇଥିଲେ। ସେମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସେଥିମଧ୍ୟରେ ଜମିଜମା ସଂକ୍ରାନ୍ତୀୟ ମାମଲା, ପାନୀୟ ଜଳ, ରାସ୍ତା ନିର୍ମାଣ, ବିଦ୍ୟୁତ ସଂଯୋଗୀକରଣ ଆଦି ପ୍ରମୁଖ ଦାବି ରହିଥିଲା।
ଏହି କାର୍ଯ୍ୟକ୍ରମରେ ଚିକିତ୍ସା ସହାୟତା ପାଇଁ ଆବେଦନ କରିଥିବା ୫ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ ଜଣେ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଜନଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ଡେପୁଟି କଲେକ୍ଟର କୁନ୍ତୀରାଣୀ ନାଏକ ପ୍ରମୁଖ ଯୋଗ ଦେଇଥିଲେ।