ରାଉରକେଲା : ଆଉ ମାତ୍ର ଦିନକ ପରେ ମହାଶିବରାତ୍ରି ଜାଗର ମେଳା।। ଶୈବ୍ୟ ପୀଠ ବେଦବ୍ୟାସରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ରାଉରକେଲା : ୧୬/୨ (ସତ୍ୟାନ୍ୟୁଜ) ଆଉ ମାତ୍ର ଦିନକ ପରେ ମହା ଶିବରାତ୍ରୀ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶୈବ୍ୟପୀଠ ବେଦବ୍ୟାସ। ଚଳିତ ବର୍ଷ ମହା ଶିବରାତ୍ରୀ ଅବସରରେ ବେଦବ୍ୟାସରେ ଜାଗର ମେଳା ମଧ୍ୟ ହେଉଛି। ଏହି ମେଳା ୧୫ ଦିନ ଧରି ଚାଲିବ। କରୋନା ମହାମାରୀ କଟକଣା ଯୋଗୁ ଦୁଇ ବର୍ଷ ହେଲା ଏଠାରେ ଜାଗର ମେଳା ହେଉନଥିଲା। ଚଳିତ ବର୍ଷ ମେଳା ଲାଗୁ ଥିବାରୁ ବହୁ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ୧୦୦ ବର୍ଷରୁ ଅଧିକ ସମୟ ହେଲା ଚାଲିଥିବା ଏହି ବେଦବ୍ୟାସ ଜାଗର ମେଳା ତାର ଚମକ ଏପର୍ଯ୍ୟନ୍ତ ହରାଇ ନାହିଁ। ମେଳାରେ ଦୋକାନ ଲଗାଇବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ୮୦୦ ରୁ ଉର୍ଦ୍ଧ୍ବ ଦୋକାନୀ ନିଜ ନିଜର ପସରା ମେଲାଇ ସାରିଲେଣି।
ବେଦବ୍ୟାସ ଶୈବ୍ୟପୀଠ କ୍ଷେତ୍ର ଅତ୍ୟନ୍ତ ରମଣୀୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ଶଙ୍ଖ , କୋଏଲ ନଦୀର ମିଳନ ସ୍ଥଳରେ ଅବସ୍ଥିତ ଏହି ଶୈବ୍ୟପୀଠରେ ମହା ୠଷି ବ୍ୟାସଦେବ ଜନ୍ମ ଗ୍ରହଣ କରିଥିବାରୁ ଏହାର ନାମ ହୋଇଛି ବେଦବ୍ୟାସ। ଶିବ ମନ୍ଦିର ବ୍ୟତୀତ ଏଠାରେ ଆହୁରି ୧୧ ଟି ମନ୍ଦିର ରହିଛି।
ଚଳିତ ବର୍ଷ ଜାଗର ମେଳାରେ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ରାଉରକେଲା ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୨ ପ୍ଲାଟୁନ ରୁ ଅଧିକ ପୋଲିସ ମୁତୟନ ହେବା ନେଇ ସୂଚନା ମିଳିଛି।