ରାଉରକେଲା : ୯/୨ (ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ନିଶା ଦ୍ରବ୍ୟ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସାତ ଦିନ ମଧ୍ୟରେ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ନିଶା ଦ୍ରବ୍ୟ ଜବତ କରାଯାଇଛି। ନିଶା ଦ୍ରବ୍ୟ ମଧ୍ୟରେ ନକଲି ବିଦେଶୀ ମଦ , ଦେଶୀ ମଦ , ଗଞ୍ଜେଇ ଆଦି ରହିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଜି ସକାଳେ ଅବକାରୀ ବିଭାଗ କର୍ମଚାରୀ ମାନେ ବେଦବ୍ୟାସ ଅଞ୍ଚଳରେ ଚଢାଉ କରି ୨୬ କିଲୋ ଗଞ୍ଜେଇ ଜବତ କରିଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହା ସହ ଗଞ୍ଜେଇ ଚାଲାଣ ହେଉଥିବା ଏକ କାରକୁ ମଧ୍ୟ ଜବତ କରାଯାଇଛି। ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ରାହୁଲ ଯାଦବ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟ ଅବକାରୀ ବିଭାଗ ନୂଆ ବଜ଼ାର ଛକ ନିକଟରୁ ୮ କିଲୋ ଚୋରା ଗଞ୍ଜେଇ ଜବତ କରିଥିଲେ।