ରାଉରକେଲା : ୯/୨ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଗୋଟିଧରା ଠାରେ ଗୁରୁବାର ସକାଳେ ଏକ ପିକ୍ଅପ୍ ଭ୍ୟାନ ଓଲଟି ପଡିବାରୁ ୩୦ ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ମଧ୍ୟ ଅଛନ୍ତି। ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଏକ ମିନି ଟ୍ରକ ୩୦ ରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ନେଇ କଲୁଙ୍ଗା ଆସୁଥିଲା। ବାଟରେ ଗୋଟିଧରା ନିକଟରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିବାରୁ ସମସ୍ତେ ଆହତ ହୋଇଥିଲେ। ଏହି ଅଞ୍ଚଳରେ ନିୟମିତ ଭାବେ ଡାଲା ଥିବା ଗାଡ଼ିରେ ଶ୍ରମିକ ବୁହା ହେଉଥିବା ଅଭିଯୋଗ ହେଉଛି। ସଠିକ ଯାଞ୍ଚ ହେଉନଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି। ପରିବହନ ବିଭାଗ ଏବଂ ପୋଲିସର ଯାଞ୍ଚ ପ୍ରକ୍ରିୟା ନିୟମିତ ଭାବେ ହେଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି। ତେବେ ଗୁରୁବାର ସକାଳେ ହୋଇଥିବା ଦୁର୍ଘଟଣାର ଯାଞ୍ଚ ପୋଲିସ କରୁଛି।