ବଣାଇ : ୨/୨(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। କେତେବେଳେ ହାତୀ ଗ୍ରାମରେ ପଶି ଲୋକଙ୍କ ଘର ଭାଙ୍ଗି ଦେଉଥିବା ବେଳେ ଆଉ କେତେ ବେଳେ ଲୋକଙ୍କ ଉପରେ ଆକ୍ରମଣ କରୁଛି। ହାତୀ ଆକ୍ରମଣରେ ଗ୍ରାମବାସୀ ମୃତାହତ ମଧ୍ୟ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ଫରେଷ୍ଟ ରେଞ୍ଜର ବନ୍ଧବେର୍ନା ଗ୍ରାମରେ ଏକ ଦନ୍ତା ହାତୀ ପଶି ପନିପରିବା ନଷ୍ଟ କରିଥିବା ବେଳେ ସେହି ଗ୍ରାମର ରେବତୀ ମୁଣ୍ଡା ଏବଂ ତାଙ୍କ ସ୍ୱାମୀ ସନ୍ତୋଷ ମୁଣ୍ଡା ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ଘରେ ଶୋଇ ଥିବା ବେଳେ ହାତୀଟି ଘର କାନ୍ଥକୁ ଭାଙ୍ଗି ଦେଇଥିଲା। କାନ୍ଥ ପଡିଯିବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏବେ ଉଭୟ ବଣାଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଦନ୍ତା ହାତୀଟି ବଣାଇ ରେଞ୍ଜ ରେ ବିଭିନ୍ନ ସ୍ଥାନରେ ପନିପରିବା ଚାଷ ମଧ୍ୟ ନଷ୍ଟ କରିଦେଇଛି। ଗ୍ରାମବାସୀ ମାନେ କ୍ଷତିପୂରଣ ଦାବି କରିବା ସହ ହାତୀ ଘଉଡାଇବାକୁ ପଦକ୍ଷେପ ନେବାକୁ ବନବିଭାଗକୁ ନିବେଦନ କରିଛନ୍ତି।