ସୁନ୍ଦରଗଡ : ଜିଲ୍ଲା ପ୍ରଶାସନ ପକ୍ଷରୁ ଲେଫ୍ରିପଡା ବ୍ଲକରେ ଯୁଗ୍ମ ଜନ ଶୁଣାଣି।। ୬୭ ଅଭିଯୋଗରୁ ୨ଟି ର ତତ୍କାଳ ସମାଧାନ।
ସୁନ୍ଦରଗଡ଼: ୩୦/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲେଫ୍ରିପଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗଦେଇ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ସାଧାରଣ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ।
ଏହି ଜନଶୁଣାଣିରେ ୪୭ଟି ବ୍ୟକ୍ତିଗତ ଏବଂ ୨୦ଟି ଗୋଷ୍ଠୀଗତ ମିଶି ମୋଟ ୬୭ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଜନଶୁଣାଣି ବେଳେ ହିଁ ୨ଟି ଅଭିଯୋଗର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାରକରି ଆଶୁ ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଲେଫ୍ରିପଡ଼ା ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ଲୋକମାନେ ଜମିଜମା ସଂକ୍ରାନ୍ତୀୟ ମାମଲା, ନୂତନ ପୋଖରୀ ଖନନ, ଚାଷଜମିକୁ ଜଳସେଚନ ସୁବିଧା, କୁଲାବିରାରେ ବନ୍ୟଜନ୍ତୁଙ୍କ ପାନୀୟ ଜଳର ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସହ ରାସନ କାର୍ଡ, ଭତ୍ତା ,ଜମିପଟ୍ଟା, ଆବାସ ଯୋଜନାରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଲୋକମାନେ ପ୍ରଶାସନକୁ ଜଣାଇଥିଲେ।
ଏହି ଜନ ଶୁଣାଣିରେ ୩ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଇଥିଲା। ସେହିପରି ରେଡକ୍ରସ ସୋସାଇଟିରୁ ଜଣଙ୍କୁ ଚିକିତ୍ସା ପାଇଁ ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଏହି ଜନଶୁଣାଣିରେ ସୁନ୍ଦରଗଡ଼ ଅତିରିକ୍ତ ଏସପି ସୁରେନ୍ଦ୍ର ମାଝି, ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଆସିଷ୍ଟାଣ୍ଟ କନଜେରଭେଟର ଅଫ ଫରେଷ୍ଟ ମୋହନ ହେମ୍ବ୍ରମ, ଉପଜିଲ୍ଲାପାଳ ଦାଶରଥି ସରାବୁ, ଡେପୁଟି କଲେକ୍ଟର କୁନ୍ତୀରାଣୀ ନାଏକ, ବିଡିଓ ଜନ୍ମେଞ୍ଜୟ ବେହେରାଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।