ସୁନ୍ଦରଗଡ଼ : ଜିଲ୍ଲାରେ ଶେଷ ହେଲା ହକି ବିଶ୍ୱକପ ଟ୍ରଫି ଟୁର।। ୧୭ ଟି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଟ୍ରଫିକୁ ବିପୁଳ ସ୍ୱାଗତ।

0 295

ସୁନ୍ଦରଗଡ଼/ରାଉରକେଲା: ୨୪/୧ ( ସତ୍ୟାନ୍ୟୁଜ) ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ବିଶ୍ୱକପ୍ ଟ୍ରଫି ଟୁର୍ ଶେଷ ହୋଇଛି। ମଙ୍ଗଳବାର ଦିନ ଏହି ଟ୍ରଫି ରାଜଗାଙ୍ଗପୁର ବ୍ଲକ ପରିକ୍ରମା କରିବା ପରେ ଏହାକୁ ବିଦାୟ ଦିଆଯାଇଥିଲା। ଏହି ଟ୍ରଫି ଟୁର୍ ପାଇଁ ଲେଫ୍ରିପଡ଼ାରୁ କୋଇଡ଼ା ପର୍ଯ୍ୟନ୍ତ ଏକ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା।

ରାଜଗାଙ୍ଗପୁରର ସୁବାସ ବୋଷ ଛକ, ସର୍ବତୀ ଦେବୀ ମହିଳା ମହବିଦ୍ୟାଳୟ, ଡାଲମିଆ କଲେଜ, ଲାଞ୍ଜିବର୍ଣ୍ଣ ଶ୍ରମିକ ଉଚ୍ଚ ବିଦ୍ୟାଳୟ ଏବଂ ହକି ପ୍ରଶିକ୍ଷଣ କେନ୍ଦ୍ରଠାରେ ସ୍ୱାଗତ କରାଯିବା ପରେ ଏହି ଟୁର୍ ଶେଷ ହୋଇଥିଲା।

ଜାନୁଆରି ୧୬ ତାରିଖରୁ ବିଶ୍ୱକପ୍ ଟ୍ରଫି ଟୁର୍ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକରୁ ଆରମ୍ଭ ହୋଇଥିଲା। ପରେ ଏହା ସମସ୍ତ ୧୭ଟି ବ୍ଲକର ୧୦୦ରୁ ଅଧିକ ଗ୍ରାମପଞ୍ଚାୟତ ଏବଂ ୩ଟି ପୌରପାଳିକା ପରିକ୍ରମା କରିଥିଲା। ସବୁଠି ଟ୍ରଫିକୁ ଆନନ୍ଦ ଉଲ୍ଲାସର ସହ ସ୍ୱାଗତ କରାଯାଇଥିଲା।

ଟ୍ରଫି ଟୁର୍ ବେଳେ ସମଗ୍ର ଜିଲ୍ଲା ଉତ୍ସବମୁଖର ହୋଇ ଉଠିଥିଲା। ସବୁଠି ଆଦିବାସୀ ନୃତ୍ୟ ସଙ୍ଗୀତର ଝଲକ ଦେଖିବାକୁ ମିଳିଥିଲା। ତା’ଛଡ଼ା ସଂକୀର୍ତ୍ତନ, ପାଲା, ଘୋଡ଼ାନାଚ, କରମା, କିଷାନ୍ ଆଦି ନୃତ୍ୟରେ ପରିବେଶ ଅଧିକ ଆକର୍ଷଣୀୟ ହୋଇଯାଇଥିଲା। ଟ୍ରଫିକୁ ସ୍ୱାଗତ କରିବା ଲାଗି ସମସ୍ତଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।

ଜିଲ୍ଲାର ବିଭିନ୍ନ ସ୍କୁଲ ଏବଂ କଲେଜରେ ମଧ୍ୟ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଛାତ୍ରଛାତ୍ରୀମାନେ ନାଚ ଗୀତ ମାଧ୍ୟମରେ ଟ୍ରଫିକୁ ପାଛୋଟି ନେଇଥିଲେ। ବିଶ୍ୱକପ୍ ଟ୍ରଫିକୁ ପାଖରୁ ଦେଖି ସେମାନେ ଉତ୍ସାହିତ ହୋଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ବ୍ଲକ ସ୍ତରରେ ହକି ଅଭ୍ୟାସ କେନ୍ଦ୍ର କରାଯାଇଛି। ଟ୍ରଫି ଟୁର ବିଭିନ୍ନ ବ୍ଲକ ପରିକ୍ରମା କରିବା ବେଳେ ଏହି ଅଭ୍ୟାସ କେନ୍ଦ୍ରରେ ସ୍ୱାଗତ କରାଯାଇଥିଲା। ସ୍ଥାନୀୟ ଖେଳାଳିମାନେ ହକି ଷ୍ଟିକ୍ ଧରି ଟ୍ରଫିକୁ ସମ୍ମାନ ଜଣାଇଥିଲେ। ଏହି ଅବସରରେ ହକି ଅଭ୍ୟାସ କେନ୍ଦ୍ରଠାରେ ପ୍ରଦର୍ଶନୀ ମ୍ୟାଚ ମଧ୍ୟ ଆୟୋଜନ କରାଯାଇଥିଲା।

ହକି ବିଶ୍ୱକପ୍ ଟ୍ରଫି ଟୁରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଡ଼ି ହୋଇଥିଲେ। ସେମାନେ ମଧ୍ୟ ଟ୍ରଫିକୁ ଅଭିନବ ଢଙ୍ଗରେ ସ୍ୱାଗତ କରିଥିଲେ। କେଉଁଠି ମହିଳାମାନେ ବିଭିନ୍ନ ଦେଶର ଜାତୀୟ ପତାକା ଧରି ଟ୍ରଫିକୁ ପାଛୋଟି ନେଇଥିଲେ ତ ଆଉ କେଉଁଠି ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ଷ୍ଟଲ ପକାଇଥିଲେ। ମିଶନ ଶକ୍ତିର ମା’ମାନଙ୍କର ଏଭଳି କାର୍ଯ୍ୟକ୍ରମ ଟ୍ରଫି ଟୁରକୁ ଅଧିକ ଆକର୍ଷଣୀୟ କରିଥିଲା। ଟ୍ରଫିକୁ ସ୍ୱାଗତ କରିବା ବେଳେ ବିଭିନ୍ନ ସ୍ଥାନରେ ପଞ୍ଚାୟତ ପ୍ରତିନିଧିମାନେ ସାମିଲ ହୋଇଥିଲେ।

Leave A Reply

Your email address will not be published.