ସୁନ୍ଦରଗଡ: ଜିଲ୍ଲାର ୧୭ ଟି ବ୍ଲକ , ୩ ଟି ପୌରପାଳିକାକୁ ଯିବ ହକି ବିଶ୍ୱକପ ଟ୍ରଫି।। ଆଜି ଲେଫ୍ରିପଡା ରୁ ଟ୍ରଫି ପରିକ୍ରମା ଆରମ୍ଭ।

0 281

• ଟ୍ରଫିକୁ ସ୍ୱାଗତ କରିବା ଲାଗି ଲୋକଙ୍କ ଭିତରେ ଉତ୍ସାହ
• ପାଲା, ଘୋଡ଼ାନାଚ, ବାଡ଼ିଖେଳ ସହ ସ୍ଥାନୀୟ ଲୋକନୃତ୍ୟ ପ୍ରଦର୍ଶନ
• ସରଫଗଡ଼ରେ ଟ୍ରଫିକୁ ନୌକା ବିହାର

ସୁନ୍ଦରଗଡ଼:୧୬/୧(ସତ୍ୟା ନ୍ୟୁଜ) ହକି ବିଶ୍ୱକପ୍ ଟ୍ରଫି ରାଉରକେଲା ସହର ପରିକ୍ରମା କରିବା ପରେ ଏବେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକକୁ ଯିବ। ସୋମବାର ଦିନ ଏହି ଟ୍ରଫି ଲେଫ୍ରିପଡ଼ା ଏବଂ ହେମଗିର ବ୍ଲକର ବିଭିନ୍ନ ସ୍ଥାନ ପରିକ୍ରମା କରିଛି। ସବୁଠି ବିଶ୍ୱକପ୍ ଟ୍ରଫିକୁ ସ୍ଥାନୀୟ ଲୋକେ ଆନନ୍ଦ ଉଲ୍ଲାସର ସହ ସ୍ୱାଗତ କରିଥିଲେ।

ସାରା ଓଡ଼ିଶା ବୁଲିବା ପରେ ବିଶ୍ୱକପ୍ ଟ୍ରଫି ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କରିଥିଲା। ୧୨ ତାରିଖରେ ଟ୍ରଫି ରାଉରକେଲା ସହର ପରିକ୍ରମା କରିଥିଲା। ଏବେ ଏହି ଟ୍ରଫି ଜିଲ୍ଲାର ୩ଟି ପୌରପାଳିକା ସହିତ ସମସ୍ତ ୧୭ଟି ବ୍ଲକର ୧୦୦ରୁ ଅଧିକ ଗ୍ରାମପଞ୍ଚାୟତକୁ ଯିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରୁଟ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି।

ସୋମବାର ଦିନ ଲେଫ୍ରପିଡ଼ା ବ୍ଲକର ସର୍ଗିପାଲିଠାରୁ ଟ୍ରଫି ଟୁର୍ ଆରମ୍ଭ ହୋଇଥିଲା। ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢ଼ି, ଖେଳାଳି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଆଶା ଏବଂ ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ରହି ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହାପରେ ଟ୍ରଫି ଦର୍ଲିପାଲି ଅଭିମୁଖେ ଯାଇଥିଲା। ସେଠାରେ ଏନଟିପିସିର କର୍ମକର୍ତ୍ତା ଏବଂ ସ୍ଥାନୀୟ ଲୋକେ ଟ୍ରଫିକୁ ସ୍ୱାଗତ କରିଥିଲେ।

ଏହି ଟ୍ରଫି ଟୁର୍ ବେଳେ ପାଲା ଏବଂ ସ୍ଥାନୀୟ ଲୋକନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଖେଳାଳି ଏବଂ ଯୁବପିଢ଼ି ହାତରେ ହକି ଷ୍ଟିକ୍ ଧରି ଟ୍ରଫିକୁ ସ୍ୱାଗତ କରିଥିଲେ।

ସେହିପରି ସରଫଗଡ଼ସ୍ଥିତ ପରିବେଶ ପର୍ଯ୍ୟଟନ ଗ୍ରାମ ବାଡୁନଝରିଆରେ ବିଶ୍ୱକପ୍ ଟ୍ରଫିକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିଲେ। ଟ୍ରଫିକୁ ନୌକା ବିହାର କରାଯିବା ସହ ଘୋଡ଼ା ନାଚ, ବାଡ଼ିଖେଳ ଓ ବିଭିନ୍ନ ନାଚ ଗୀତ ପ୍ରଦର୍ଶନ କରାଯାଇଥିଲା।

ଏହି ଅବସରରେ ସୁନ୍ଦରଗଡ଼ ବନଖଣ୍ଡ କର୍ମଚାରୀମାନେ ଜଙ୍ଗଲ ସୁରକ୍ଷା ଉପରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଶେଷରେ ବନଖଣ୍ଡ କର୍ମଚାରୀମାନେ ସ୍ଲୋମାର୍ଚ୍ଚ କରିଥିଲେ।

ଲେଫ୍ରିପଡ଼ା ପରେ ଟ୍ରଫି ହେମଗିର ବ୍ଲକକୁ ଯାଇଥିଲା। ସେଠାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଟ୍ରଫିକୁ ସ୍ୱାଗତ କରିଥିଲେ। ଟ୍ରଫି ଟୁର୍ ବେଳେ ସ୍ଥାନୀୟ କଳାକାରମାନଙ୍କ ନୃତ୍ୟ, ସଙ୍ଗୀତ ପ୍ରଦର୍ଶନ ପରିବେଶକୁ ଆକର୍ଷଣୀୟ କରିଥିଲା।

ହେମିଗରି ବ୍ଲକରୁ ଆସିବା ପରେ ଟ୍ରଫିକୁ ସୁନ୍ଦରଗଡ଼ର ଆରଆରଆଇଟି ଛକଠାରେ ବିପୁଳ ସ୍ୱାଗତ କରାଯାଇଥିଲା। ଏକ ବିଶାଳା ଶୋଭାଯାତ୍ରାରେ ଟ୍ରଫିକୁ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ପରିସରକୁ ନିଆଯାଇଥିଲା। ଏଥିରେ ଛାତ୍ରଛାତ୍ରୀ, ଯୁବପିଢ଼ିମାନେ ସାମିଲ ହୋଇଥିଲେ।

ଜାନୁଆରି ୧୩ ତାରିଖରୁ ଭୁବନେଶ୍ୱର ସହ ରାଉରକେଲାରେ ହକି ବିଶ୍ୱକପ୍ ଆରମ୍ଭ ହୋଇଛି। ତେଣୁ ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ବିଶ୍ୱକପ୍ ଟ୍ରଫି ସମସ୍ତ ବ୍ଲକକୁ ଯିବ। ସେଠାରେ ଟ୍ରଫିକୁ ସ୍ୱାଗତ କରିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି।

୧୭ ତାରିଖ ଦିନ ଟ୍ରଫି ସୁନ୍ଦରଗଡ଼ ସହର ପରିକ୍ରମା କରିବ। ଟ୍ରଫିକୁ ସ୍ୱାଗତ କରିବା ଲାଗି ପଥପ୍ରାନ୍ତ କାର୍ଯ୍ୟକ୍ରମ, ମିନି ମାରାଥନ, ମାନବ ଶୃଙ୍ଖଳ ସହ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ନୃତ୍ୟ ଗୀତ ପରିବେଷଣ କରାଯିବ। ଏହାପରେ ଟ୍ରଫି ଟାଙ୍ଗରପାଲି ବ୍ଲକ ଯିବ। ସେଠାରେ ମଧ୍ୟ ଟ୍ରଫିକୁ ସ୍ୱାଗତ କରିବା ଲାଗି ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.