ରାଉରକେଲା : ଅର୍ଥ ପାଇଁ ଅପହରଣ କରାଯାଇଥିବା ଶିଶୁକୁ ଉଦ୍ଧାର କଲା ପୋଲିସ।। ୩ କିଡନାପର୍ସ ଙ୍କୁ ଗିରଫ କଲା କୋଇଡା ପୋଲିସ।

0 469

ରାଉରକେଲା:୧୬/୧(ସତ୍ୟା ନ୍ୟୁଜ) କୋଇଡା ଅଞ୍ଚଳରୁ ଗତକାଲି ଅପହୃତ ହୋଇଥିବା ଶିଶୁକୁ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଏହାସହ ଅପହରଣ କରିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ଅପହରଣରେ ବ୍ୟବହୃତ ବାଇକ ମଧ୍ୟ ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଲାଲହାଟିଙ୍ଗ ବସ୍ତିରୁ ଗତକାଲି ଜଣେ ୬ ବର୍ଷର ଶିଶୁକୁ ଅପହରଣ କରାଯାଇଥିଲା। ଆଜି ଉକ୍ତ ଶିଶୁକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମେଣ୍ଢାମୁରୁଣି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଅପହରଣ କରିବା ଅଭିଯୋଗରେ ତିନି ଜଣଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ଘର କୋଇଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି।
ଗତକାଲି ପିଲାଟି ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତମାନେ ଆସି ତାକୁ ଚକୋଲେଟ୍ ଦେବାର ଲୋଭ ଦେଖାଇ ବାଇକ୍‌ରେ ବସାଇ ନେଇ ଯାଇଥିଲେ। ପରିବାର ଲୋକେ ଶିଶୁଟିକୁ  ନ ପାଇବାରୁ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନଥିଲେ। ଏନେଇ ପରିବାର ବର୍ଗଙ୍କ ପକ୍ଷରୁ କୋଇଡା ଥାନାରେ ଅଭିଯୋଗ କରାଯାଇଥିଲା। ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଶିଶୁଟିର ପରିବାର ଲୋକଙ୍କୁ ଫୋନ୍‌ କରିଥିଲେ ଓ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ଶିଶୁଟିକୁ ଜୀବନରୁ ମାରି ଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।
ପରିବାର ଲୋକେ ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ୍ ଫୋନ୍‌ କଲ୍‌ ଟ୍ରାକ୍ କରି ମେଣ୍ଢାମୁରୁଣି ଜଙ୍ଗଲରୁ ଶିଶୁଟିକୁ ଆଜି ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରିଥିଲା। ଏହାସହ ଅପହରଣ କରିଥିବା ୩ ଜଣ ଯୁବକଙ୍କୁ ଗିରଫ କରିଥିଲା। ଅପହରଣରେ ବ୍ୟବହୃତ ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.