ସୁନ୍ଦରଗଡ଼ :୭/୧/୨୩(ସତ୍ୟା ନ୍ୟୁଜ) ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ଚାଲିଥିବା ଜିଲ୍ଲାସ୍ତରୀୟ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼, ବଣାଇଁ ଏବଂ ପାନପୋଷ ଜୋନରୁ ମୋଟ ୩୮୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ସଫଳ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି।
ଏହି କ୍ରୀଡ଼ା ପ୍ରତିଯୋଗିତା ଲାଗି ସୁନ୍ଦରଗଡ଼ ସ୍ଥିତ ମା’ ସମଲେଇ ମନ୍ଦିରରୁ ମଶାଲ ଶୋଭାଯାତ୍ରା ଆସି ଅମୃତ ଲାଲ୍ ନାୟାର ଖେଳ ପଡ଼ିଆରେ ପହଞ୍ଚିଥିଲା। ଏହା ପରେ ଉଭୟ ମହିଳା ଏବଂ ପୁରୁଷ ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଜିଲ୍ଲା ସ୍ତରୀୟ ମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଥିଲା
ପ୍ରତିଯୋଗୀଙ୍କ ଭିତରେ ଦୌଡ଼କୁଦ, କବାଡି, ଭଲିବଲ୍, ଖୋଖୋ, ହାଇଜମ୍ପ, ଲଙ୍ଗଜମ୍ପ, ଡିସକସ୍ ଥ୍ରୋ, ପୁଟିଂ ଦ ସର୍ଟ, ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ହୋଇଥିଲା।
କବାଡ଼ି, ଖୋଖୋ, ଭଲିବଲ୍ ପ୍ରତିଯୋଗିତାରେ ଚାମ୍ପିଅନ୍ ଦଳକୁ ମାନପତ୍ର ଓ ଟ୍ରଫି ସହ ୪୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ରନର୍ସଅପ୍ ଦଳକୁ ମାନପତ୍ର, ଟ୍ରଫି ସହ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ଦୌଡ଼, ହାଇ ଜମ୍ପ, ଲଙ୍ଗ ଜମ୍ପ, ପୁଟିଂ ଦ ସଟ୍, ଡିସକସ୍ ଥ୍ରୋ ଓ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବାବଦରେ ୧୦ ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୭ ହଜାର ଟଙ୍କା ଓ ତୃତୀୟ ସ୍ଥାନ ପାଇଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
ସେହିପରି ପୁରୁଷ ବର୍ଗରେ ହୋଇଥିବା କବାଡ଼ି ପ୍ରତିଯୋଗିତାରେ ବାଲିଶଙ୍କରା ବ୍ଲକର ଯଦୁପତି ଏଚ.ଏସ. ସହିଦ ମହାବିଦ୍ୟାଳୟ ଚାମ୍ପିଅନ୍ ହୋଇଥିବା ବେଳେ ମହିଳା ବର୍ଗରେ ଲହୁଣୀପଡ଼ା ଇଏମଆରଏସ୍ ମହାବିଦ୍ୟାଳୟ ଚାମ୍ପିଅନ୍ ହୋଇଥିଲି। ଖୋଖୋ ପୁରୁଷ ବର୍ଗରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଚାମ୍ପିଅନ୍ ହୋଇଥିବା ବେଳେ ମହିଳା ବର୍ଗରେ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଚାମ୍ପିଅନ୍ ହୋଇଥିଲା।
ଭଲିବଲ୍ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଚାମ୍ପିଅନ୍ ହୋଇଥିବା ବେଳେ ମହିଳା ବର୍ଗରେ ଗୁରୁଣ୍ଡିଆ ଏସଏସଡି ସରକାରୀ ମହାବିଦ୍ୟାଳୟ ଚାମ୍ପିଅନ୍ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଲିମ୍ପିଆନ ଲାଜରୁସ ବାର୍ଲା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷା ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ରବିନାରାୟଣ ସାହୁ, ଉପଜିଲ୍ଲାପାଳ ଦାଶରଥି ସରାବୁ, ଡେପୁଟି କଲେକ୍ଟର ସୁଶ୍ରୀ ପ୍ରଧାନ, ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଲିତ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଏହି କ୍ରୀଡ଼ା ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସୁନ୍ଦରଗଡ଼ ସଦର ସରକାରୀ ମହାବିଦ୍ୟାଳୟର ଛାତ୍ରୀମାନେ ସମ୍ୱଲପୁରୀ ନୃତ୍ୟ ପରିବେଷଣ କରିଥିଲେ।
ଏହାସହ ଯୁବପିଢ଼ିଙ୍କ ଭିତରେ ହକି ବିଶ୍ୱକପ ପାଇଁ ଉତ୍ସାହ ସୃଷ୍ଟି କରିବା ଲାଗି ସ୍ବତନ୍ତ୍ର ବାଲୁକା କଳା ଓ ସେଲଫି ଜୋନ କରାଯାଇଥିଲା।