ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ୭୬ ତମ ପ୍ରତିଷ୍ଠା ଦିବସ ପାଳିତ।। ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜିତ।

0 254

ସୁନ୍ଦରଗଡ଼ : ୨/୧/୨୩(ସତ୍ୟା ନ୍ୟୁଜ) : ସୁନ୍ଦରଗଡ଼ ଜିଲ୍ଲାର ୭୬ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ରବିବାର ଦିନ ସକାଳେ ମା ସମଲେଇ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମା ସମଲେଇଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ ପୁରୁଷ ବିଶ୍ୱକପ୍ ହକିର ମାସ୍କଟ୍ ଓଲି ସାମିଲ୍ ମଧ୍ୟ ହୋଇଥିଲା । ଏଥିରେ ମାନ୍ୟବର ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ପୌରାଧ୍ୟକ୍ଷ ଶ୍ରୀମତୀ ତନୟା ମିଶ୍ର, ଏସପି ସାଗରିକା ନାଥ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ କୁମାର ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ଏହା ପରେ ସୁନ୍ଦରଗଡ଼ ବିକାଶ ଭବନରେ ସୁନ୍ଦରଗଡ଼ର ସ୍ଵର୍ଣ୍ଣିମ ଇତିହାସକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସୁନ୍ଦରଗଡ଼ର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ବିଷୟରେ ଏହି ଆଲୋଚନା ଚକ୍ରରେ ଆଲୋଚନା କରାଯିବା ସହ ସୁନ୍ଦରଗଡ଼କୁ ଆହୁରି ସମୃଦ୍ଧ ଓ ସୁଦୃଢ଼ କରିବା ଉପରେ ଉପସ୍ଥିତ ଶିକ୍ଷାବିତ୍, ବୁଦ୍ଧିଜୀବୀମାନେ ମତ ଦେଇଥିଲେ। ୧୯୪୮ ମସିହା ଜାନୁୟାରୀ ୧ ତାରିଖରେ ଗଠିତ ସୁନ୍ଦରଗଡ଼ ଜିଲ୍ଲାର ୭୬ତମ ପ୍ରତିଷ୍ଠା ଦିବସ ମହାଆଡମ୍ବରେ ପାଳନ କରାଯାଉଥିବାରୁ ଉପସ୍ଥିତ ବକ୍ତାମାନେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଏହି ଆଲୋଚନା ଚକ୍ରରେ ମାନ୍ୟବର ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ,ସୁନ୍ଦରଗଡ଼ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ବିନୟ ଟପ୍ପୋ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ପରିଷଦର ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ ପରିଡା, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଶ୍ରୀ ଗିରି ଦଣ୍ଡସେନା , ଶ୍ରୀ ଚିରବ୍ରତ ଦତ୍ତ, ଅଧ୍ୟାପିକା ସସ୍ମିତା ଭୋଇ, ଅତିରକ୍ତ ଜିଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରବୁ, ସଦର ତହସିଲଦାର ଶ୍ରୀ କୁଳମଣି ରଣବିଡା ,ବରିଷ୍ଠ ଆଇନଜୀବୀ ଅଶୋକ ଦାଶ, ନିମାଇଁ ନାଏକ, ଜିଲ୍ଲା ଓକିଲ ସଂଘ ସଭାପତି କମଲ ସେନ , ପ୍ରମୁଖ ଉପସ୍ଥିତ ଥିଲେ। ଧନ୍ୟବାଦ୍ ଅର୍ପଣ କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରି

ଏଥି ସହ ସନ୍ଧ୍ଯାରେ ଜିଲ୍ଲା ସଂସ୍କୃତି ଭବନରେ ପ୍ରଶାସନ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ଵାଧୀନତା ସଂଗ୍ରାମୀ ଛବିଳ ସେଠ୍, ଶିକ୍ଷାବିତ୍ ଗୋକୁଳାନନ୍ଦ ନାଏକ, କ୍ରୀଡ଼ା ସଂଗଠକ ଆନନ୍ଦ ଚନ୍ଦ୍ର ନାଏକଙ୍କ ସହ ବିଶିଷ୍ଟ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ପଦାରବିନ୍ଦ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହ ସୁନ୍ଦରଗଡ଼ ପ୍ରତିଷ୍ଠା ଦିବସ ଅବସରରେ ପୂର୍ବରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ହୋଇଥିବା ବକ୍ତୃତା, କୁଇଜ୍, ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ କଳାକାର ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ ଅର୍ପଣ କରିଥିଲେ . ଏହି ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ରେ ସାହିତ୍ୟିକ ଗୋପ କୃଷ୍ଣ ନାୟକ, ଆଇନ୍ ଜୀବୀ ଅଶୋକ ସ୍ଵାଇଁ, କଳାକାର ରୋଶନ ସାହୁ , ଉଦ୍ଧବ ଭିତ୍ରିଆ, ବିବେକ ନାୟକ, ମୁନିସ ରାଇଲା , ରଜ୍ଜୁ ଠାକୁର, ଏବଂ ବିଭିନ୍ନ ଅନୁଷ୍ଠାନ ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ରେ ପ୍ରିୟଙ୍କା ଜେନା ଓ ଫିରୋଜ ପଟେଲ ମଂଚ ସଂଯୋଜନା କରିଥିଲେ।

Leave A Reply

Your email address will not be published.