ରାଉରକେଲା : ହକି ବିଶ୍ୱକପ ପୂର୍ବରୁ ପ୍ରଦୂଷଣ ନିଅନ୍ତ୍ରଣ ବୋର୍ଡର କଡା ପଦକ୍ଷେପ।। ବନ୍ଦ ରହିବ ୨୨ଟି ସ୍ପଞ୍ଜ ଆଇରନ କାରଖାନା।

0 987

ରାଉରକେଲା: ୨୬/୧୨(ସତ୍ୟା ନ୍ୟୁଜ) ଆଉ ମାତ୍ର ୧୭ ଦିନ ପରେ ରାଉରକେଲାରେ ହେବାକୁ ଯାଉଛି ହକି ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌। ଆସନ୍ତାକାଲି ଭାରତୀୟ ହକି ଦଳ ରାଉରକେଲାରେ ଆସି ପହଞ୍ଚିବେ। ଏହି ବିଶ୍ୱକପରେ ୧୬ ଟି ଦେଶର ଖେଳାଳି ମାନଙ୍କ ଆସିବାର କାର୍ଯ୍ୟକ୍ରମ ଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବେଶ ଗୁରୁତ୍ୱ ଦିଆଯାଉଛି।

ଏଥିପାଇଁ ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଷ୍ଟାଡିୟମରେ ଅଭ୍ୟାସ୍‌ ମ୍ୟାଚ୍‌ ମଧ୍ୟ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ରେ ଭାରତ ସମେତ ୧୬ଟି ଦେଶର ଖେଳାଳୀ ଭାଗ ନେଉଥିବାରୁ ସହର ଓ ଏହାର ଚତୁଃପାର୍ଶ୍ବରେ ପ୍ରଦୂଷଣ ମୁକ୍ତ ରଖିବାକୁ ପ୍ରାଥମିକତା ଦିଆଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ କଢ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆସନ୍ତା ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ କଲୁଙ୍ଗା, କୁଆରମୁଣ୍ଡା ଶିଳ୍ପାଞ୍ଚଳରେ ୨୨ ସ୍ପଞ୍ଜ କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ତର୍ଜାତୀୟ ‌ଖେଳାଳୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସହର ଓ ଏହାର ଚତୁଃପାର୍ଶ୍ବକୁ ପ୍ରଦୂଷଣମୁକ୍ତ ରଖିବାକୁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ଦ ହେବାକୁ ଯାଉଥିବା ସ୍ପଞ୍ଜ କାରଖାନାଗୁଡ଼ିକ ମଧ୍ୟରେ ରହିଛି କଲୁଙ୍ଗାର ରିଲାଏବୁଲ ସ୍ପଞ୍ଜ ପ୍ରାଇଭେଟ୍‌ ଲିମିଟେଡ୍‌, ଶ୍ରୀ ମହାବୀର ଫେରୋ ଆଲଏଜ ପ୍ରାଇଭେଟ୍‌ ଲିମିଟେଡ, ବଜରଙ୍ଗବଲି ସ୍ପଞ୍ଜ ଆଣ୍ଡ ପାୱାର ଲିମିଟେଡ, ରାଉରକେଲା ସ୍ପଞ୍ଜ (ତାରିଣୀ ସ୍ପଞ୍ଜ), ମେଟା ସ୍ପଞ୍ଜ ପ୍ରାଇଭେଟ୍‌ ଲିମିଟେଡ୍‌, ପୂଜା ସ୍ପଞ୍ଜ, ବବର୍ରିକ ଷ୍ଟିଲ ପ୍ରାଇଭେଟ୍‌ ଲିମିଟେଡ, ସ୍ପଞ୍ଜ ଉଦ୍ୟୋଗ, ଟାଇମ୍ସ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌, ଉତ୍କଳ ମେଟାଲିକ୍ସ ଲିମିଟେଡ୍‌ ଆଦିକୁ ବନ୍ଦ ନୋଟିସ୍‌ କରାଯାଇଛି। ଏଥି ମଧ୍ୟରୁ କିଛି ସ୍ପଞ୍ଜ କାରଖାନା ରେଡ୍‌ କ୍ୟାଟାଗୋରିରେ ରହିଛି। ସେମିତି କୁଆରମୁଣ୍ଡାର ଶ୍ରୀ ଗଣେଶ ମେଟାଲିକ୍ସ ଲିମିଟେଡ, ଆଧୁନିକ ମେଟାଲିକ୍ସ ଲିମିଟେଡ (ଲିବର୍ଟି ହାଉସ୍‌), ପବନଜୟ ସ୍ପଞ୍ଜ ଆଇରନ୍‌ ଲିମିଟେଡ୍‌, ସ୍ବସ୍ତିକ ଇସ୍ପାତ ପ୍ରାଇଭେଟ ଲିମିଟେଡ, ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପ୍ରାଇଭେଟ୍‌ ଲିମିଟେଡ, ଖେଦେରିଆ ଇସ୍ପାତ ଲିମିଟେଡ, ମା’ ସାକମ୍ବରୀ ସ୍ପଞ୍ଜ, ସାଇ ଶ୍ରଦ୍ଧା ଷ୍ଟିଲ ପ୍ରାଇଭେଟ୍‌ ଲିମିଟେଡକୁ ମଧ୍ୟ ଅନୁରୂପ ନୋଟିସ୍‌ ଜାରି ହୋଇଛି। ଗୋଟିଏ ମାସ ବନ୍ଦ ରହୁଥିବା ସ୍ପଞ୍ଜ କାରଖାନାରେ କାମ କରୁଥିବା ପ୍ରାୟ ୬ ହଜାରରୁ ଅଧିକ କର୍ମଚାରୀଙ୍କୁ ମାସକର ଦରମା ମିଳିବ କି ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।‌ ଅନ୍ୟପଟେ ସ୍ପଞ୍ଜ ଆଇରନ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି। କେବଳ ଏତିକି ନୁହେଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ କ୍ରମେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଚତୁଃପାର୍ଶ୍ବରେ ଚାରିଟି ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ବସାଯାଇଛି। ଗୋଟିଏ ରାଉରକେଲା ବିମାନ ବନ୍ଦର, ଅନ୍ୟଟି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର କୋଠା ଉପରେ ରହିଛି। ତୃତୀୟଟି ଛେଣ୍ଡକଲୋନିରୁ ଷ୍ଟାଡିୟମକୁ ଯାଇଥିବା ମୁଖ୍ୟ ରାସ୍ତା ପାର୍ଶ୍ବ କନକମଞ୍ଜରି ଫାର୍ମାସୀ କଲେଜ ଓ ଚତୁର୍ଥ ତଥା ଶେଷ ଯନ୍ତ୍ରଟି ଛେଣ୍ଡ ବାଗ୍‌ବୁଡି ବସ୍ତିର ‘ପ୍ଳୁଟୋଅନ୍‌ ସପିଂ ମଲ’ର ଛାତ ଉପରେ ବସାଯାଇଛି। ଆସନ୍ତକାଲି ସୋମବାର ଠାରୁ ଏହି ଚାରିଟି ବାୟୁମାପକ ଯନ୍ତ୍ର ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଯିବ। ଦୈନିକ ସହର ଓ ଏହାର ଚତୁଃପାର୍ଶ୍ବରେ ବାୟୁର ସାନ୍ଧ୍ରତା ହ୍ରାସ ପାଉଛି ନା ବଢ଼ୁଛି ମପା ଯିବ। ପ୍ରତ୍ୟେକ ଦିନ ମିଳୁଥିବା ରିପୋର୍ଟ ଅନୁଯାୟୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ଜାରି କରିବ ବୋଲି ଜଣାପଡିଛି। ଚାରିଟି ବାୟୁ ମାପକଯନ୍ତ୍ରକୁ ପରିଚାଳନା କରିବାକୁ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି।

Leave A Reply

Your email address will not be published.