ରାଉରକେଲା : ହକି ପାଇଁ ଆୟୋଜିତ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ। ବିଜେତା ଟିମଙ୍କୁ ୩୦ ହଜାର, ଉପ-ବିଜେତାଙ୍କୁ ୨୦ ହଜାର ପ୍ରଦାନ।
ରାଉରକେଲା : ୨୨/୧୨(ସତ୍ୟା ନ୍ୟୁଜ) ପୁରୁଷ ହକି ବିଶ୍ବକପ୍ ପରିପ୍ରେକ୍ଷୀରେ ରାଉରକେଲାରେ ଆୟୋଜିତ ହୋଇଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ବୁଧବାର ଉଦିତନଗର ସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ଏହି ସମାରୋହରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ (ସୁନ୍ଦରଗଡ଼) ସାରଦା ନାୟକ, ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର, ଏସପି ମୁକେଶ କୁମାର ଭାମୁ, ଉପ ଆୟୁକ୍ତ ସୁଧାଂଶୁ ଭୋଇ, ସୀତାଦେବୀ ମାଝି, ଡ. ଗୌରବମୟ ପ୍ରଧାନ, ରୋନିତ କୁମାର, ସୁକାନ୍ତ କୁମାର ବେଉରା ଓ ଅତିରିକ୍ତ ଆୟୁକ୍ତ ନରେନ୍ଦ୍ର ପ୍ରଧାନ ଓ ରାଉରକେଲା ମହାନଗର ନିଗମର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ରାଜ୍ୟ ସରକାର ଓଡ଼ିଶାକୁ ପୂର୍ବ ଭାରତ କ୍ରୀଡ଼ା ହବ୍ ଭାବେ ପରିଣତ କରିବାକୁ ଚାହୁଁଛନ୍ତି । ଏଣୁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ରାଉରକେଲା ତଥା ସୁନ୍ଦରଗଡ଼ରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବା ସହ ପୁରୁଷ ହକି ବିଶ୍ବକପ୍ ଭଳି ପ୍ରତିଯୋଗିତାର ଆୟୋଜନ ହେବାକୁ ଯାଉଛି । ଏଣୁ ଏହି କ୍ରୀଡ଼ା ମହାକୁମ୍ଭର ସଫଳ ଆୟୋଜନ ସମସ୍ତଙ୍କ ଦାୟିତ୍ବ । ଅତିଥିମାନେ ଯେଭଳି ଉତ୍ତମ ଆତିଥ୍ୟ ପାଇବେ, ଏହି ବିଶ୍ବକପ୍ ଯେଭଳି ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ସେ ଦିଗରେ କାର୍ଯ୍ୟ କରିବା ପାଇଁ ମଞ୍ଚାସୀନ ଅତିଥିମାନେ ଆହ୍ବାନ ଦେଇଥିଲେ । ଏହା ସହିତ ହକି ବିଶ୍ବକପ୍ ପରିପ୍ରେକ୍ଷୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଓ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲାବାସୀ ଯେଉଁ ଉତ୍ସାହର ପ୍ରଦର୍ଶନ କରିଛନ୍ତି ତାହା ଆଗାମୀ ହକି ବିଶ୍ବକପ ସମୟରେ ମଧ୍ୟ ବଜାୟ ରହିବ । ସମଗ୍ର ସହରବାସୀ ହର୍ଷ ଉଲ୍ଲାସର ସହ ହକି ବିଶ୍ବକପକୁ ସ୍ବାଗତ କରିବେ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଛନ୍ତି।
ଆଜିର ଏହି ପୁରସ୍କାର ବିତରଣ ଉତ୍ସବରେ ହକି, କବାଡ଼ି, ଫୁଟବଲ, ଭଲିବଲ୍ ଓ ଖୋ ଖୋ ପ୍ରତିଯୋଗିତାର ଉଭୟ ବିଜେତା ଏବଂ ଉପ ବିଜେତାଙ୍କୁ ଟ୍ରଫି ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହା ସହିତ ପ୍ରତି ପ୍ରତିଯୋଗିତାର ବିଜେତା ଏବଂ ଉପ ବିଜେତାଙ୍କୁ ଯଥାକ୍ରମେ ୩୦ ହଜାର ଓ ୨୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ଏତଦ ବ୍ୟତୀତ ବିଭିନ୍ନ କ୍ରୀଡ଼ା ସଂଗଠନ, ମ୍ୟାଚ୍ ଅଫିସିଆଲ୍, ସ୍ବେଚ୍ଛାସେବୀଙ୍କୁ ମଧ୍ୟ ସେମାନଙ୍କ ସହଯୋଗ ପାଇଁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ତେବେ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ଊର୍ଦ୍ଧ୍ବୁ ସ୍କୁଲ ଛାତ୍ରୀଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ଅପରପକ୍ଷରେ ନଗର କ୍ରୀଡ଼ା ଉତ୍ସବ ଅନ୍ତର୍ଗତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ ନିମନ୍ତେ ରାଉରକେଲା ମହାନଗର ନିଗମର ସମସ୍ତ କର୍ମକର୍ତ୍ତା, ସ୍ବେଚ୍ଛାସେବୀ ଓ କ୍ରୀଡ଼ା ସଂଗଠନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ।
ଆଜି ଫୁଟବଲ୍ ବିଭାଗରେ ଫାଇନାଲ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ପୁରୁଷ ବର୍ଗରେ ବିଆରଡି ଫୁଟବଲ୍ କ୍ଳବ୍ (ସେକ୍ଟର-୧୯), ମହିଳା ବର୍ଗରେ ଆରଏସପି ଫୁଟବଲ କ୍ଳବ୍ ଚାମ୍ପିଅନ ହୋଇଥିଲେ ।