ବଣାଇ: ରାସ୍ତା ପାଇଁ ଅଭିନବ ପ୍ରତିବାଦ।। ରାସ୍ତାରେ ତଳି ରୋଇ ପ୍ରତିବାଦ କଲେ ଗ୍ରାମ ବାସୀ।

0 39

ରାସ୍ତା ପାଇଁ ତଳି ରୋଇ ପ୍ରତିବାଦ; “ରାସ୍ତା ନହେଲେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ” ଚେତାବନୀ
ବଣାଇ, ୨ ଅଗଷ୍ଟ (ସତ୍ୟାନ୍ୟୁଜ):
ଦୀର୍ଘ ବର୍ଷ ଧରି ଭଲ ରାସ୍ତା ନଥିବାରୁ ଅତିଷ୍ଠ ହୋଇ ଶେଷରେ ରାସ୍ତା ଉପରେ ତଳି ରୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ବଣାଇ ବ୍ଲକର ଆମ୍ବଫାଳି ଗ୍ରାମବାସୀ। ଗ୍ରାମବାସୀଙ୍କ ଚେତାବନୀ, ଯଦି ଶୀଘ୍ର ରାସ୍ତା ନିର୍ମାଣ କରାନଯାଏ, ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସେମାନେ ସାମୂହିକ ଭାବେ ଭୋଟ ବର୍ଜନ କରିବେ।
ଗ୍ରାମବାସୀଙ୍କ କହିବାନୁସାରେ, ଖରା ଓ ଶୀତ ଋତୁରେ କଷ୍ଟେମଷ୍ଟେ ଯାତାୟାତ ସମ୍ଭବ ହେଉଥିଲେ ମଧ୍ୟ ବର୍ଷାଦିନେ ଗାଁଟି ପ୍ରାୟ ବିଚ୍ଛିନ୍ନ ହୋଇଯାଏ। ରାସ୍ତା ଉପରେ ଥିବା ପୋଲ ଦେଇ ପାହାଡ଼ିଆ ପାଣି ବହିଲେ ସମ୍ପୂର୍ଣ୍ଣ ଯୋଗାଯୋଗ ବନ୍ଦ ହୋଇଯାଏ। କାଦୁଅ ଭରା ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀମାନେ ଯାତାୟାତ କରୁଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ପହଞ୍ଚିପାରୁନାହିଁ।
ଗ୍ରାମବାସୀଙ୍କ ଅଭିଯୋଗ, ଜିଲ୍ଲାପାଳ, ଗ୍ରିଭାନ୍ସ, ବିଡିଓ ଓ ପଞ୍ଚାୟତ ପ୍ରତିନିଧିଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ନିର୍ବାଚନ ସମୟରେ ନେତାମାନେ ପ୍ରତିଶ୍ରୁତି ଦେଇ ଭୋଟ ନେଇଯାଉଥିବା ବେଳେ ପରେ ଗାଁର ସମସ୍ୟାକୁ ଅଣଦେଖା କରୁଥିବା ସେମାନେ କହିଛନ୍ତି। ପ୍ରତିବାଦ ସମୟରେ କିଛି ଗ୍ରାମବାସୀ ପ୍ରତୀକାତ୍ମକ ଭାବେ କହିଥିଲେ, “ରାସ୍ତା ପାଇଁ ସରକାରଙ୍କ ପାଖରେ ଟଙ୍କା ନଥିଲେ ଆମେ ଧାନ ଦେବୁ, ସେହି ଧାନ ବିକ୍ରି କରି ରାସ୍ତା କରନ୍ତୁ।”
ଏହି ପ୍ରସଙ୍ଗରେ ବଣାଇ ବିଡିଓଙ୍କୁ ପଚାରିବାରୁ ସେ ସ୍ୱୀକାର କରିଛନ୍ତି ଯେ ଆମ୍ବଫାଳି ଗାଁରେ ରାସ୍ତା ସମସ୍ୟା ରହିଛି। ବିଜିବିୱାଇ (BGBY) ଯୋଜନା ମାଧ୍ୟମରେ ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

Leave A Reply

Your email address will not be published.