ରାଉରକେଲା : ହାତୀ ଆକ୍ରମଣରେ ଜଣେ ମୃତ , ଅନ୍ୟ ଜଣେ ଗୁରୁତର।। ହାତୀ ସମସ୍ୟାର ସ୍ଥାୟୀ ସମାଧାନ ଏବଂ କ୍ଷତିପୂରଣ ଦାବିରେ ଡିଏଫଓ ଅଫିସ ଘେରାଉ।
- ହାତୀ ଆକ୍ରମଣରେ ମୃତ୍ୟୁ କୁ ନେଇ ତିନୋଟି ପଞ୍ଚାୟତ ରେ ତୀବ୍ର ପ୍ରତିକ୍ରିୟା।
- ସ୍ଥାୟୀ ସମାଧାନ ସହ ଉପଯୁକ୍ତ କ୍ଷତିପୂରଣ ଦାବି ରେ ଡିଏଫ୍ଓ ଅଫିସ୍ ଘେରାଉ।
- ସରକାରୀ ସହାୟତା ଓ ଆନୁସଙ୍ଗିକ ବ୍ୟବସ୍ଥା କରିବାପାଇଁ ଡିଏଫ୍ଓ ଙ୍କ ପ୍ରତିଶ୍ରୁତି।
ରାଉରକେଲା : ୨୧/୧୨(ସତ୍ୟା ନ୍ୟୁଜ) ମଣିଷ ହାତୀ ଲଢେଇ ରେ କେତେବେଳେ ହାତୀ ର ଜୀବନ ଯାଉଛି ତ କେତେବେଳେ ମଣିଷର। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଅନ୍ତର୍ଗତ ସୁଇଡିହି,ମଣ୍ଡାଜୋର ଓ ରାମଯୋଡି ପଞ୍ଚାୟତବାସୀ ହାତୀ ଙ୍କୁ ନେଇ ବେଶ ଚିନ୍ତା ରେ ଅଛନ୍ତି। ସେମାନଙ୍କ ଜୀବନ ଓ ଜୀବିକା ଉଭୟ ବାଜିରେ ଲାଗିଛି। ହାତୀ ଭୟ ରେ ସଂଧ୍ୟା ହେଲେ ତାଟି କବାଟ ପଡୁଥିବା ବେଳେ ଦିନରେ ମଧ୍ୟ ଯାତାୟାତ ସଙ୍କଟାପନ୍ନ ରହୁଛି। ଗତକାଲି ସୁଇଡିହି ପଞ୍ଚାୟତ ର ୨୨ ବର୍ଷୀୟ ଯୁବକ ନରେଶ କୁମ୍ଭାର ଶୌଚ କରିବାକୁ ଯାଇଥିଲା ବେଳେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀ ଆକ୍ରମଣରେ ଗୁରୁତର ନରେଶଙ୍କୁ ବନବିଭାଗ ପକ୍ଷରୁ ଜେପି ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆଜି ପୁଣି ହାତୀ ଆକ୍ରମଣରେ ଆଉ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି। ପ୍ରତିବାଦ ସ୍ବରୂପ ଆଜି ଉତ୍ୟକ୍ତ ଗ୍ରାମବାସୀ ଓ ସୁଇଡିହି ପଞ୍ଚାୟତ ର ସରପଞ୍ଚ ଅରୁଣା,ମଣ୍ଡାଜୋର ପଞ୍ଚାୟତ ସରପଞ୍ଚ ସାକାରୀ ଓରାମ , ସମିତି ସଭ୍ୟ ଟିକେଶ୍ବର ମିଞ୍ଜ, ପୂର୍ବତନ ସମିତି ସଭ୍ୟ ମୁଧୁ ମୁନ୍ ପ୍ରମୁଖ ଙ୍କ ନେତୃତ୍ବରେ ଯାଇ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ଯାଳୟ ଘେରାଉ କରିଥିଲେ। ଖବର ପାଇ ପ୍ରାକ୍ତନ ରଘୁନାଥପାଲୀ ବିଧାୟକ ପ୍ରାର୍ଥୀ ତଥା କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ଉପସ୍ଥିତ ରହି ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ସହ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ। ମୃତ ନରେଶ କୁମ୍ଭାର ଅତ୍ୟନ୍ତ ଗରିବ ଶ୍ରେଣୀର ଏବଂ ତାଙ୍କର ସ୍ତ୍ରୀ ଓ ଚାରିମାସ ର ଯାଆଁଳା ଛୁଆ। ତେଣୁ ଏହି ଅସହାୟ ପରିବାର କୁ ସରକାରୀ ସହାୟତା ୪ଲକ୍ଷ ପର୍ଯ୍ୟାପ୍ତ ନୁହେଁ। ତେଣୁ ତା’ର ସ୍ତ୍ରୀ ପାଇଁ ଆବଶ୍ୟକୀୟ ଅର୍ଥ ଉପାର୍ଜନ ବ୍ଯାବସ୍ଥା ସ୍ଵରୁପ ଚାକିରି ଦାବି କରାଯାଇଥିଲା। ବନଖଣ୍ଡ ଅଧିକାରୀ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦନ୍ତା ହାତୀ ଘଉଡାଇବା ପାଇଁ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ପାଇଁ ଡିଏଫ୍ଓ ନିବେଦନ କରିଥିଲେ। ଆଗକୁ ସ୍ଥାୟୀ ସମାଧାନ ସ୍ବରୂପ ସୋଲାର ଫେନ୍ସି ଦିଗରେ ସରକାର ଓ ଗ୍ରାମବାସୀ ଙ୍କ ସହଭାଗିତା ରେ କାର୍ଯ୍ୟ କରିବା ପାଇଁ ଡିଏଫ୍ଓ ପରାମର୍ଶ ଦେଇଥିଲେ।