ରାଉରକେଲା:୨୧/୧୨(ସତ୍ୟା ନ୍ୟୁଜ) ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ବିଳମ୍ବରେ ହେଉ ପଛେ, ରାଉରକେଲା ବିମାନବନ୍ଦରକୁ ଡିରେକ୍ଟର ଜେନେରାଲ ଅଫ୍ ସିଭିଲ୍ ଏଭିଏସନ(ଡିଜିସିଏ) ଲାଇସେନ୍ସ ମିଳିଛି। ପୂର୍ବରୁ ବିମାନବନ୍ଦରକୁ ୨ବି ଲାଇସେନ୍ସ ମିଳିଥିବାବେଳେ ଏହାକୁ ୨ସିକୁ ଉନ୍ନୀତ କରାଯାଇଛି। ଏହାଦ୍ବାରା ଏଠାରେ ଏଟିଆର୍୭୨ ବିମାନ ଉଡ଼ାଣ ସମ୍ଭବ ହେବ। ମୁଖ୍ୟତଃ ୨ସି ଲାଇସେନ୍ସ ଯୁକ୍ତ ବିମାନବନ୍ଦରରେ ୪୨ ସିଟର୍ ବିମାନ ଚଳାଚଳ କରିଥାଏ। ତେବେ ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଅନୁମତି ନେଇ ଏହି ଧରଣର ବିମାନ ସେବା ଆରମ୍ଭ କରାଯିବ। ଉଲ୍ଲେଖଯୋଗ୍ୟ, ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) ପକ୍ଷରୁ ରାଉରକେଲା ବିମାନବନ୍ଦର ସଂପ୍ରସାରଣ କରାଯାଇଛି। ପୁରୁଷ ହକି ବିଶ୍ବକପ୍ ନିକଟତର ହେଉଥିବାବେଳେ ସଂପ୍ରସାରଣ କାର୍ଯ୍ୟ କିନ୍ତୁ ତଦନୁଯାୟୀ ବେଗ ଧରିନଥିଲା। ଫଳରେ ନିର୍ମାଣକାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସାଂସଦ ଜୁଏଲ ଓରାମଙ୍କ ସମେତ ରାଉରକେଲା ବାସୀ ଦାବି କରିଥିଲେ। ବିଳମ୍ବରେ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବାପରେ କିଛି ଦିନ ପୂର୍ବେ ଡିଜିସିଏ ପ୍ରତିନିଧି ରାଉରକେଲାରେ ପହଞ୍ଚିଥିଲେ। ଏଠାକାର ସ୍ଥିତି, ଭିତ୍ତିଭୂମି ଆଦି ପୁଙ୍ଖାନୁପୁଙ୍ଖ ଯାଞ୍ଚ, ସମୀକ୍ଷାପରେ ଆଜି ଏହି ଲାଇସେନ୍ସ ପ୍ରଦାନ କରାଯାଇଛି।