ରାଉରକେଲା : ହକି ବିଶ୍ୱକପ କୁ ସ୍ୱାଗତ କଲେ ଦିବ୍ୟାଙ୍ଗ।। ୪୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀତରେ ଭାଗ ନେଇ ହକି ପାଇଁ ଜାହିର କଲେ ଉତ୍ସାହ।
ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) ଆସନ୍ତା ପୁରୁଷ ହକି ବିଶ୍ବକପ୍ ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ରାଉରକେଲା ଏବେ ଉତ୍ସବ ମୁଖର । ସହରବାସୀଙ୍କୁ କ୍ରୀଡ଼ା ମନସ୍କ କରିବା ତଥା ଏକ ଉତ୍ସବର ମାହୋଲ ସୃଷ୍ଟି କରିବା ପାଇଁ ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟସିଟି ରାଉରକେଲା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଦିବ୍ୟାଙ୍ଗ । ଦୀପିକା ଶିକ୍ଷା ସଦନ (ସେକ୍ଟର-୧୮) ପରିସରରେ ଏହି ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପ୍ରୟାସ’ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଓ ଉପ ଆୟୁକ୍ତ ସୁଧାଂଶୁ ଭୋଇ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।
ମଙ୍ଗଳବାର ପୂର୍ବାହ୍ଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧା, ଆଶାଦୀପ, ହୋମ୍ ଆଣ୍ଡ ହୋପ, ଆଶା ତଥା ମୂକ ବଧିର ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବିଭିନ୍ନ ବର୍ଗରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତା ଶେଷରେ ଦିବ୍ୟାଙ୍ଗ ପିଲାମାନେ ପରିବେଷଣ କରିଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ଜିଣିଥିଲା ।
ରାଉରକେଲା ମହାନଗର ନିଗମର ସାମାଜିକ ସୁରକ୍ଷା ଅଧିକାରୀ ଚେତାବନୀ ବଡାଇକ, ଶ୍ରଦ୍ଧା ଅନୁଷ୍ଠାନରୁ ସର୍ବଶ୍ରୀ କାର୍ତ୍ତିକ ପାଣ୍ଡବ, ସର୍ବେଶ୍ଵର ମାନସିଂହ, ନରେଶ ପଟେଲ , ସନ୍ତୋଷ କୁମାର ସାହୁ , ଅଶାଦୀପର ରାମଚନ୍ଦ୍ର ବେହେରା, ପ୍ରକାଶ ପଣ୍ଡା, ହୋମ୍ ଆଣ୍ଡ ହୋପର ପଦ୍ମିନୀ ଦାସ, ମୂକ ବଧିର ବିଦ୍ୟାଳୟର ସରୋଜ କୁମାର ମହାନ୍ତି ଓ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ, ଡ୍ରିମ୍ ଟିମ୍ ଫାଉଣ୍ଡେସନର ଅମିୟ ଦାସ, ଏକ୍ସପୋ ଇଭେଣ୍ଟ ମ୍ୟାନେଜମେଣ୍ଟ ଗ୍ରୁପ, ଏବଂ ଅନନ୍ତ ଉଦୟ ଚାରିଟେବୁଲ ଟ୍ରଷ୍ଟ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଅନ୍ୟପକ୍ଷରେ ନଗର କ୍ରୀଡ଼ା ଉତ୍ସବର ୧୩ତମ ଦିନରେ ଫୁଟବଲ ବିଭାଗରେ ୨ଟି ସେମିଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ରାଉରକେଲା ସ୍ପୋର୍ଟସ୍ ଆସୋସିଏସନ୍ ଓ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଇସ୍ପାତ ଷ୍ଟାଡିୟମ୍ (ସେକ୍ଟର-୬) ପରିସରରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ମହାନଗର ନିଗମର ଉପ ଆୟୁକ୍ତ ସୁକାନ୍ତ କୁମାର ବେଉରା ଓ ଅତିରିକ୍ତ ଆୟୁକ୍ତ ନରେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହି ସେମିଫାଇନାଲ ମ୍ୟାଚରେ ଜଲଦା ଫୁଟବଲ କ୍ଳବକୁ ପରାସ୍ତ କରିଛି ବିଆରଡି ଫୁଟବଲ କ୍ଳବ୍ (ସେକ୍ଟର ୧୯) । ନିର୍ଦ୍ଦାରିତ ସମୟ ଖେଳ ଶେଷ ସୁଦ୍ଧା କୌଣସି ଦଳ ଗୋଲ ସ୍କୋର କରିପାରିନଥିବା ବେଳେ ଟାଇ ବ୍ରେକର ମାଧ୍ୟମରେ ନିଷ୍ପତ୍ତି ନିଆଯାଇଥିଲା । ଟାଇ ବ୍ରେକରରେ ମଧ୍ୟ ସ୍ଥିତି ସମାନ ରହିଥିବା ବେଳେ ସଡନ୍ ଡେଥରେ ୬-୫ ଗୋଲରେ ବିଜୟୀ ହୋଇଛି ବିଆରଡି ଫୁଟବଲ୍ କ୍ଳବ୍ । ସେହିଭଳି କଳିଙ୍ଗ ସ୍ପୋର୍ଟସ ଫାଉଣ୍ଡେସନ୍ ଓ ରାଉରକେଲା ମହାନଗର ନିଗମ ଆନୁକୂଲ୍ୟରେ ଉଦିତ ନଗର ସ୍ଥିତି ମିନି ଷ୍ଟାଡିୟମ ପରିସରରେ ଖେଳାଯାଇଥିବା ଅନ୍ୟ ଏକ ସେମିଫାଇନାଲ ମ୍ୟାଚରେ ଷ୍ଟାର୍ ବୟସ୍ ବନ୍ଧମୁଣ୍ଡାକୁ ୦-୪ ଗୋଲରେ ପରାସ୍ତ କରି ଟିସି ହାମିରପୁର ଫାଇନାଲରେ ପ୍ରବେଶ କରିଛି ।