ରାଉରକେଲା : ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଠିକଟା ରେ ଯୁଗ୍ମ ଜନଶୁଣାଣୀ।। ୪୨ ଅଭିଯୋଗରୁ ୧୪ଟିର ତୁରନ୍ତ ସମାଧାନ।

0 217

ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଠିକଟା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଯୋଗଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।

ଏହି ଜନଶୁଣାଣିରେ ମୋଟ ୪୨ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୪ଟିର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ତୁରନ୍ତ ବିଚାର କରାଯାଇ ଆଶୁ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଲାଠିକଟା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଲୋକମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସେଥିମଧ୍ୟରେ ରହିଥିଲା ଆବାସ ଯୋଜନା ଅଧୀନରେ ଘର, ରାସ୍ତା ଓ ଡ୍ରେନ ନିର୍ମାଣ, ପାନୀୟ ଜଳ, ବିଦ୍ୟୁତ, ରାସନ କାର୍ଡ, ସ୍ୱାସ୍ଥ୍ୟ, ଅଙ୍ଗନବାଡ଼ି ଏବଂ ସ୍କୁଲ ଆଦି ସମସ୍ୟା।

ଏହି ଅବସରରେ ୩ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏବଂ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୧୫ ହଜ଼ାର ଟଙ୍କା ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପିଡି ଡୁଡା ତଥା ଡିଏମଏଫ ସିଇଓ ରିତା ଡାଙ୍ଗ, ବଣାଇଁ ଏସଡିପିଓ ସ୍ୱରାଜ ଦେବତା, ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀ ରାଣୀ ନାୟକ, ଲାଠିକଟା ବ୍ଲକ ଅଧ୍ୟକ୍ଷ ଦିଲୀପ କୁମାର ଖେସ ଏବଂ ଲାଠିକଟା ବିଡିଓ ରୀନା ପ୍ରଧାନ (ଆଇଏଏସ) ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.