ରାଉରକେଲା ; ୧୯/୧୨(ସତ୍ୟା ନ୍ୟୁଜ) ରାଉରକେଲା ନଗର କ୍ରୀଡ଼ା ଉତ୍ସବ ନେଇ କ୍ରୀଡ଼ାବିତ ଏବଂ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ବଢ଼ିବାରେ ଲାଗିଛି । ଖେଳ ପଡ଼ିଆରେ ଦର୍ଶକଙ୍କ ବିପୁଳ ସମାଗମ ଖେଳାଳି ଏବଂ ଆୟୋଜକଙ୍କୁ ବେଶ୍ ଉତ୍ସାହିତ କରୁଛି । ପୂର୍ବରୁ ହକି, ଖୋ ଖୋ, କବାଡ଼ି ଓ ଭଲିବଲ୍ ବିଭାଗରେ ଖେଳ ସରିସାରିଥିବା ବେଳେ ଫୁଟବଲ୍ ବିଭାଗରେ ଖେଳ ଆଗେଇ ଚାଲିଛି । ରବିବାର ନଗର କ୍ରୀଡ଼ା ଉତ୍ସବର ଫୁଟବଲ୍ ବିଭାଗରେ ମୋଟ ୪ଟି ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ୟୁନାଇଟେଡ୍ ସ୍ପୋଟିଂ କ୍ଳବ୍ (ଜଲଦା), ସ୍ପୋଟିଂ କ୍ଳବ୍ ସାରନା, ବାନପୋଷ ଫୁଟବଲ୍ କ୍ଳବ ଓ ଷ୍ଟାର୍ ବୟସ୍ (ବନ୍ଧମୁଣ୍ଡା) ଟିମ୍ ବିଜୟୀ ହୋଇଛନ୍ତି । ତେବେ ଆଜିର ସମସ୍ତ ମ୍ୟାଚ୍ ନିର୍ଦ୍ଦାରିତ ସମୟ ମଧ୍ୟରେ ଅମୀମାଂସିତ ରହିବାରୁ ଟାଇ ବ୍ରେକର ବା ପେନାଲ୍ଟି ସୁଟ ଆଉଟ ମାଧ୍ୟମରେ ବିଜେତା ଘୋଷଣା କରାଯାଇଥିଲା ।
ରାଉରକେଲା ସ୍ପୋର୍ଟସ୍ ଆସୋସିଏସନ୍ ଓ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଇସ୍ପାତ ଷ୍ଟାଡିୟମ୍ (ସେକ୍ଟର-୬) ପରିସରରେ ରବିବାର ଗ୍ରୁପ ‘ଏ’ ବିଭାଗରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବାନପୋଷ ଫୁଟବଲ୍ କ୍ଳବକୁ ୨-୧ ଗୋଲରେ ପରାସ୍ତ କରିଥିଲା ୟୁନାଇଟେଡ୍ ସ୍ପୋଟିଂ କ୍ଳବ୍ (ଜଲଦା) । ଦ୍ବିତୀୟ ମ୍ୟାଚଟି ସ୍ପୋଟିଂ କ୍ଳବ୍ (ସାରନା) ବନାମ ଧରମଡ଼ିହି ମଧ୍ୟରେ ଖେଳାଯାଇଥିଲା। ଯାହାକୁ ସ୍ପୋଟିଂ କ୍ଳବ୍ ସାରନା ୪-୨ ଗୋଲରେ ଜିତି ନେଇଛି ।
ଅପରପକ୍ଷରେ କଳିଙ୍ଗ ସ୍ପୋର୍ଟସ ଫାଉଣ୍ଡେସନ୍ ଓ ରାଉରକେଲା ମହାନଗର ନିଗମ ଆନୁକୂଲ୍ୟରେ ଉଦିତ ନଗର ସ୍ଥିତି ମିନି ଷ୍ଟାଡିୟମ ପରିସରରେ ଗ୍ରୁପ୍ ‘ବି’ ବିଭାଗର ଫୁଟବଲ ମ୍ୟାଚ୍ ଖେଳା ଯାଇଥିଲା । ରବିବାର ବାନପୋଷ ବନାମ ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟ (ସିନିୟର) ମଧ୍ୟରେ ଆଜିର ମ୍ୟାଚ୍ ଖେଳାଯାଇଥିବା ବେଳେ ଏହାକୁ ବାନପୋଷ ଫୁଟବଲ୍ ଟିମ୍ ୫-୪ ଗୋଲରେ ଜିତି ନେଇଛି । ସେହିଭଳି ଷ୍ଟାର୍ ବୟସ୍ ବନ୍ଧମୁଣ୍ଡା ବନାମ ଗୋଲ୍ଡେନ୍ ଇଗଲ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍କୁ ବନ୍ଧମୁଣ୍ଡା ୩-୧ ଗୋଲରେ ଜିତି ନେଇଛି ।