ରାଉରକେଲା : ହକି ବିଶ୍ୱକପ ଲାଗି ଷ୍ଟାଡିଅମ କ୍ୟାମ୍ପସରେ ଖେଳାଳିଙ୍କ ପାଇଁ ଫାଇଭ ଷ୍ଟାର୍ ହୋଟେଲ ଫାସିଲିଟି।। ‘ହୋଟେଲ ତାଜ’ ସହ ଅନୁବନ୍ଧିତ।
ରାଉରକେଲା: ୧୮/୧୨(ସତ୍ୟା ନ୍ୟୁଜ) ଆଉ ମାତ୍ର ୨୫ ଦିନ ପରେ ରାଉରକେଲାରେ ନିର୍ମାଣଧୀନ ଦେଶର ବୃହତ୍ତମ ହକି ଷ୍ଟାଡିୟମରେ ଖେଳା ଯିବ ହକି ବିଶ୍ବକପ୍ର ପ୍ରଥମ ମ୍ୟାଚ୍। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବା ପାଇଁ ପୂରା ଦମ୍ ଲଗାଇ ଦେଇଛି ପ୍ରଶାସନ। ଉଲ୍ଲେଖନୀୟ ଯେ ରାଉରକେଲାର ଏହି ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ ଓ ଭୁବନେଶ୍ବରସ୍ଥ କଳିଙ୍ଗ ଷ୍ଟାଡିୟମର ନବୀକରଣରେ ମୋଟ୍ ୮୭୫ କୋଟି ୭୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଅନ୍ତର୍ଜାତୀୟ ଖେଳାଳୀମାନଙ୍କ ରହଣି ପାଇଁ ରାଉରକେଲା ସହରରେ ପଞ୍ଚ ତାରକା ହୋଟେଲ ନଥିବାରୁ ଷ୍ଟାଡିୟମ ପରିସରରେ ନିର୍ମାଣ ହୋଇଛି ଏକ ଭବ୍ୟ କୋଠା। ଏହି କୋଠରେ ରହିଛି ୨୫୦ଟି ସୁଟ୍। ସଉନା ବାଥ୍, ଷ୍ଟିମ୍ ବାଥ୍, ଫିଟ୍ନେସ୍ ସେଣ୍ଟର୍ ଆଦି ସହିତ ଅନ୍ୟ ସମସ୍ତ ପଞ୍ଚ ତାରକା ସୁବିଧା ଥିବା ଏହି କୋଠାର ନିର୍ମାଣ ବାବଦରେ ଓଡ଼ିଶା ସରକାର ଖର୍ଚ୍ଚ କରିଛନ୍ତି ୮୪ କୋଟି ୮ ଲକ୍ଷ ଟଙ୍କା। ବିଶ୍ବ କପ୍ରେ ଅଂଶଗ୍ରହଣ କରୁଥିବା ୧୬ ଦେଶର ଖେଳାଳୀଙ୍କୁ ସେମାନଙ୍କ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରି ପରିସିବାକୁ କୋଲକାତାସ୍ଥ ହୋଟେଲ ତାଜ୍ରୁ ୧୦୦ କର୍ମଚାରୀ ରାଉରକେଲାରେ ପହଞ୍ଚି ସାରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଆହୁରି ୧୦୦ କର୍ମଚାରୀ ଆସୁଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ୪୦ରୁ ଅଧିକ ସେଫ୍ ଓ ୫୦ରୁ ଅଧିକ ୱେଟର ଓ ଅନ୍ୟ କର୍ମଚାରୀ। ଏ ବାବଦରେ ମଧ୍ୟ ରାଜ୍ୟ ସରକାର ଆହୁରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କେବଳ ଏତିକି ନୁହେଁ, ଖେଳାଳୀମାନଙ୍କ ପାଇଁ ୯ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏକ ଅତ୍ୟାଧୁନିକ ସୁଇମିଂ ପୁଲ୍। ହକି ଷ୍ଟାଡିୟମ ଓ ଖେଳାଳୀମାନଙ୍କ ରହୁଥିବା ବିଲ୍ଡିଂରେ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥାରେ ୧୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଫେଡେରେସନ୍ ଅଫ୍ ଇଣ୍ଟରନ୍ୟାସନାଲ ହକି (ଏଫ୍ଆଇଏଚ୍) ଗାଇଡ୍ ଲାଇନ ଅନୁଯାୟୀ ଷ୍ଟାଡିୟମ ଓ ଏହାର ଚତୁଃପାର୍ଶ୍ବର ଉଭୟ ଖେଳାଳୀ ଓ ଦର୍ଶକଙ୍କ ସୁବିଧା ପାଇଁ ସମସ୍ତ କାର୍ଯ୍ୟ କରାଯାଉଛି। ଏଠାରେ ୨୦୨୩ ଜାନୁଆରି ୧୩ରୁ ୨୯ ତାରିଖ, ଅର୍ଥାତ୍ ୧୭ ଦିନରେ ମୋଟ୍ ୨୦ଟି ମ୍ୟାଚ୍ ଖେଳାହେବ। ଏହି ୧୭ ଦିନ ପରେ ପଞ୍ଚ ତାରକା ସୁବିଧା ଥିବା ୨୫୦ ଅତ୍ୟାଧୁନିକ ସୁଟ୍, ହୋଟେଲ୍, ସୁଇମିଂ ପୁଲ୍ ଆଦି କେଉଁ କାର୍ଯ୍ୟରେ ଆସିବ, ତା’କୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଏହାକୁ ସ୍ଥାନୀୟ ଉଦୀୟମାନ ଖେଳାଳୀଙ୍କ ପାଇଁ ଉନ୍ମୁକ୍ତ ରଖିଯିବ କି? ଏ ସଂକ୍ରାନ୍ତରେ ନିର୍ମାଣ ଦାୟିତ୍ବରେ ଥିବା ଅଧିକାରୀ ଓ ପ୍ରଶାସନ ପାଖରେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। ଅନେକ ଅନ୍ତର୍ଜାତୀୟ ହକି ତାରକା ସୃଷ୍ଟି କରିଥିବା ପାନପୋଷ କ୍ରୀଡ଼ା ଛାତ୍ରାବାସ ରାଉରକେଲାରେ ଅଛି। ନିକଟରେ ହକି ଉତ୍କର୍ଷ କେନ୍ଦ୍ର ମଧ୍ୟ ଭୁବନେଶ୍ବରରୁ ରାଉରକେଲାକୁ ଫେରି ଆସିଛି। ତେଣୁ ବିଶ୍ବକପ୍ ପରେ ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ଏହି ସ୍ଥାନୀୟ ହକି ଖେଳାଳିମାନେ ଅତିକମ୍ରେ ଅଭ୍ୟାସର ସୁଯୋଗ ପାଇବେ ବୋଲି ଆଶା କରିବା ସ୍ବାଭାବିକ। କିନ୍ତୁ ସେମାନଙ୍କୁ ଏଠାରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ଅନ୍ୟ ସୁବିଧାଗୁଡ଼ିକ ମଧ୍ୟ ଉପଲବ୍ଧ କରାଯିବ, ସେ ଆଶା ଦେଖା ଯାଉନାହିଁ। ଅବଶ୍ୟ ଆସନ୍ତା ୨୦୩୩ ପର୍ଯ୍ୟନ୍ତ ଓଡ଼ିଶା ହକି ଇଣ୍ଡିଆର ପୃ୍ଷ୍ଠପୋଷକ ଦାୟିତ୍ବରେ ରହିଛି। ପୁଣି ଏଫ୍ଆଇଏଚ୍ ସହିତ ମଧ୍ୟ ଓଡ଼ିଶାର ଅନୁବନ୍ଧନ ରହିଛି। ତେଣୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ହକି ମ୍ୟାଚ୍, ଅଭ୍ୟାସ୍ ମ୍ୟାଚ୍, ଜାତୀୟ ଟ୍ରେନିଂ କ୍ୟାମ୍ପ ଆଦି ଆଗକୁ ଓଡ଼ିଶାରେ ଅନୁଷ୍ଠିତ ହେବା ନିଶ୍ଚିତ। କିନ୍ତୁ ରାଉରକେଲା ତୁଳନାରେ ଯୋଗାଯୋଗର ବହୁଗୁଣ ଅଧିକ ସୁବିଧା ଥିବା ଭୁବନେଶ୍ବରରେ ମଧ୍ୟ କଳିଙ୍ଗ ଷ୍ଟାଡିୟମ ଅଛି। ତେଣୁ ଆଗକୁ ଥିବା ହକିର ଉପରୋକ୍ତ ଆୟୋଜନଗୁଡ଼ିକ ଭିତରୁ ରାଉରକେଲା ଭାଗରେ କେତେ ପଡ଼ିବ, କହିବା ଅସମ୍ଭବ। ଏମିତିରେ ବର୍ତ୍ତମାନର ସ୍ଥିତିରୁ ଯାହା ଜଣା ପଡ଼ି ଯାଉଛି, ବିଶ୍ବକପ୍ ପରେ ରାଉରକେଲା ବିମାନ ବନ୍ଦରରୁ ନିମୟିତ ବିମାନ ଉଡ଼ାଣ ଚାଲୁ ରହିବାର ବିଶେଷ ସମ୍ଭାବନା ନାହିଁ। ତେଣୁ ରାଉରକେଲାରେ ଆଗକୁ ଉଲ୍ଲେଖନୀୟ ସଂଖ୍ୟାରେ ଅନ୍ତର୍ଜାତୀୟ ବା ଜାତୀୟ ମ୍ୟାଚ୍ ଖେଳାଯିବ ବୋଲି ଅନ୍ତତଃ ଏବେ ଆଶା କରି ହେଉନାହିଁ। ଯଦି ବି ଖେଳାଯିବ, ତା’ର ସଂଖ୍ୟା ଅତି ନଗଣ୍ୟ ହିଁ ରହିବ। ଏପରି ସ୍ଥଳେ ଅନ୍ତର୍ଜାତୀୟ ସ୍ତରର ଏତେବଡ଼ ଷ୍ଟାଡିୟମ, ବିଶେଷକରି ଏହାସହିତ ତିଆରି ହେଉଥିବା ପଞ୍ଚତାରକା ରହଣୀସ୍ଥଳର ଭବିଷ୍ୟତ କ’ଣ ହେବ ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି।