ରାଉରକେଲା:୧୭/୧୨(ସତ୍ୟା ନ୍ୟୁଜ) ରାଉରକେଲା ଷ୍ଟେସନରେ ଦୁଇ ଟ୍ରେନ୍ ଟିକେଟ୍ ଦଲାଲକୁ ଗିରଫ କରିଛି ଆର୍ପିଏଫ୍। ସେମାନେ ହେଲେ ଡେଲି ମାର୍କେଟ ଜନତାନିବାସ ଗଳିର ସୁରଜ ସିଂହ ଓ ଗୋପବନ୍ଧୁପାଲୀର ଦୀପକ ଉପାଧ୍ୟାୟ। ଏମାନଙ୍କ ନିକଟରୁ ଆର୍ପିଏଫ୍ ଯବାନ ୬ଟି ଆରକ୍ଷଣ ଟିକେଟ୍, କିଛି ଆରକ୍ଷଣ ଫର୍ମ, ନଗଦ ସାଢ଼େ ୩ ହଜାର ଟଙ୍କା ଜବତ କରିଛି। ଗତ କିଛି ଦିନ ଧରି ଷ୍ଟେସନ ଟିକେଟ୍ ଆରକ୍ଷଣ କେନ୍ଦ୍ରରେ କିଛି ଦଲାଲ ସକ୍ରିୟ ଥିବା ଯାତ୍ରୀମାନେ ଅଭିଯୋଗ କରିଥିଲେ। ଯାତ୍ରୀଙ୍କ ସୂଚନା ଆଧାରରେ ଶୁକ୍ରବାର ଦିନ ଦଲାଲମାନଙ୍କୁ ଧରିବାକୁ ଆର୍ପିଏଫ୍ ଯବାନ ଆରକ୍ଷଣ କେନ୍ଦ୍ରରେ ଜଗି ରହିଥିଲେ। ଅଭିଯୁକ୍ତ ଦୁଇ ଦଲାଲ ଆରକ୍ଷଣ କେନ୍ଦ୍ରରେ ଟିକେଟ୍ କାଟୁଥିବା ସମୟରେ ଆର୍ପିଏଫ ଯବାନ ଦୁହିଁଙ୍କୁ ମାଡ଼ି ବସିଥିଲେ। ଉଲ୍ଲେଖଯୋଗ୍ୟଯେ ରାଉରକେଲା ଷ୍ଟେସନ୍ରେ ଦୀର୍ଘ ଦିନ ଧରି ଟ୍ରେନ୍ ଟିକେଟ୍ ଦଲାଲ ସକ୍ରିୟ ଅଛନ୍ତି। ଟିକେଟ୍ କାଉଣ୍ଟରରେ କିଛି କର୍ମଚାରୀଙ୍କ ସହ ଭିତିରି ସଲାସୁତୁରା କରି ଦଲାଲମାନେ ମାସିକ ମୋଟା ଅଙ୍କର ଅର୍ଥ କମାଉଥିବା ଅଭିଯୋଗ ହେଉଥିଲା।