ରାଉରକେଲା : ମଣିଷ – ହାତୀ ସଂଘର୍ଷ ଏଡାଇବାକୁ ବନ ବିଭାଗର ବଡ ପଦକ୍ଷେପ।।ଡିଏଫ୍ଓ , ଉପଜିଲ୍ଲାପାଳ , ବନ କର୍ମଚାରୀଙ୍କ ରାତ୍ରି କାଳୀନ ଟ୍ରାକିଂ।
ରାଉରକେଲା ବନଖଣ୍ଡରେ ହାତୀଙ୍କ ଗତିବିଧି ଉପରେ କଡ଼ା ନଜର, ଜୋରଦାର ରାତ୍ରିକାଳୀନ ପାଟ୍ରୋଲିଂ।
ରାଉରକେଲା : ୩/୮
(ସତ୍ୟାନ୍ୟୁଜ) ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବାଙ୍କି ଏବଂ ପାନପୋଷ ରେଞ୍ଜର ବିଭିନ୍ନ ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳକୁ ନେଇ ବନ ବିଭାଗ ସତର୍କ ହୋଇଛି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବ୍ୟାପକ ରାତ୍ରିକାଳୀନ ପାଟ୍ରୋଲିଂ ଓ ଟ୍ରାକିଂ କରାଯାଉଛି।
ମୁଣ୍ଡାଝୋର–ଡାଲାକୁଦର ବିଟ୍, କୁସୁମଟୋଲା ଗ୍ରାମ ଓ ସୋନାପର୍ବତ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ ବିଭାଗର ଟିମ୍ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ପାଟ୍ରୋଲିଂରେ ଡିଏଫଓ ରବିକାନ୍ତ ମୀନା, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ସହକାରୀ ବନ ସଂରକ୍ଷକ, ରେଞ୍ଜ ଅଫିସର ଓ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।
ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ରାତିରେ ଜଙ୍ଗଲ ସଂଲଗ୍ନ ଅଞ୍ଚଳକୁ ନ ଯିବା, ହାତୀ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବା ଏବଂ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।
ମଣିଷ–ହାତୀ ସଂଘର୍ଷକୁ ଏଡ଼ାଇବା ସହ ଜନସୁରକ୍ଷା ଏବଂ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ବନ ବିଭାଗର ଏହି ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି।