ସୁନ୍ଦରଗଡ଼ : ହକି ବିଶ୍ୱକପ ଲାଗି ଜିଲ୍ଲା ବ୍ୟାପି ସାଂସ୍କୃତିକ ପ୍ରତିଯୋଗିତା।। ସଫଳ ଦଳ ଲାଗି ପୁରସ୍କାର ବ୍ୟବସ୍ଥା।

0 220

ସୁନ୍ଦରଗଡ଼ :୧୪/୧୨(ସତ୍ୟା ନ୍ୟୁଜ)
ହକି ବିଶ୍ୱକପ୍ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଜନସାଧାରଣଙ୍କୁ ଯୋଡ଼ି ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଜିଲ୍ଲାବ୍ୟାପି ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସ୍ଥାନୀୟ କଳାକାରମାନଙ୍କୁ ନେଇ ସାଂସ୍କୃତିକ ପ୍ରତିଯୋଗିତା କରିବା ଲାଗି ପ୍ରଶାସନ ଆଗେଇ ଆସିଛି। ଏଥିପାଇଁ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ବିଭିନ୍ନ ଗ୍ରାମପଞ୍ଚାୟତକୁ ନେଇ ୩୮ଟି କ୍ଲଷ୍ଟର ଗଠନ କରାଯାଇଛି।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା ଯୋଗଦେଇ କହିଛନ୍ତି ଯେ, ‘‘ସୁନ୍ଦରଗଡ଼ ଜିଲ୍ଲାର କଳା, ସଂସ୍କୃତି ଅନନ୍ୟ। ତେଣୁ ହକି ବିଶ୍ୱକପ ଅବସରରେ ସ୍ଥାନୀୟ କଳାକାରମାନଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ଲାଗି ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଉଛି। ସ୍ଥାନୀୟ ପ୍ରଶାସନ ଏବଂ ବ୍ଳକ କଳା ସଂସ୍କୃତି ସଂଘ ଆନୁକୂଲ୍ୟରେ ଏହା କରାଯାଉଛି। କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ଏହି ପ୍ରତିଯୋଗିତା ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଯିବ।’’

ସୁନ୍ଦରଗଡ଼ ଜିଲ୍ଲାରେ ପାଲା, ଦାସକାଠିଆ ଏବଂ ସଂକୀର୍ତ୍ତନ ମଣ୍ଡଳୀ ସହିତ ସମ୍ବଲପୁରୀ, କରମା, ସାଦ୍ରୀ ଆଦି ନୃତ୍ୟ, ଗୀତ ପରିବେଷଣ କରୁଥିବା ଦଳ ରହିଛନ୍ତି। ସେମାନଙ୍କ ଭିତରେ ଏହି ପ୍ରତିଯୋଗିତା କରାଯିବ। ପ୍ରତି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରୁ ଦୁଇଟି ଶ୍ରେଷ୍ଠ ଦଳକୁ ଜିଲ୍ଲାସ୍ତରୀୟ ଲାଗି ଚୟନ କରାଯିବ। କ୍ଲଷ୍ଟର ଏବଂ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସଫଳ ଦଳଗୁଡ଼ିକୁ ପୁରାସ୍କାର ବାବଦରେ ଟ୍ରଫି, ସାର୍ଟିଫିକେଟ ଏବଂ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀ ବେଳେ ଡେପୁଟି କଲେକ୍ଟର ସୁଶ୍ରୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ପ୍ରମୁଖ ଉପସ୍ଥିତ ଥିଲେ।

ହକି ବିଶ୍ୱକପ ପାଇଁ ଜିଲ୍ଲାବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଗ୍ରାମପଞ୍ଚାୟତରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ କରାଯାଉଛି। ସେହିପରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ କରାଯାଇଛି।

Leave A Reply

Your email address will not be published.