ରାଉରକେଲା : ୯/୧୨(ସତ୍ୟା ନ୍ୟୁଜ) ଇସ୍ପାତ ନଗରୀରେ ଅନୁଷ୍ଠିତ ହେଉଥିବା ନଗର କ୍ରୀଡ଼ା ଉତ୍ସବକୁ ନେଇ କ୍ରୀଡ଼ାବିତ ଏବଂ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଆଜି ଦ୍ବିତୀୟ ଦିବସରେ କବାଡ଼ି (ବାଳିକା) ବିଭାଗରେ ଖେଳାଯାଇଥିବା ମ୍ୟାଚ୍ର ଫଳାଫଳ ଅନୁଯାୟୀ ନୀଳଶୈଳ ମହାବିଦ୍ୟାଳୟ ଏବଂ ଡିଏଭି ପବ୍ଳିକ୍ ସ୍କୁଲ (ବାସନ୍ତୀ କଲୋନୀ) ଫାଇନାଲରେ ସ୍ଥାନ ପାଇଛନ୍ତି। ସେହିଭଳି କବାଡ଼ି କନିଷ୍ଠ ବାଳକ ଏବଂ ବରିଷ୍ଠ ବାଳକ ବିଭାଗର ସେମିଫାଇନାଲ ମ୍ୟାଚ୍ ପାଇଁ ଟିମ୍ ଚୂଡ଼ାନ୍ତ ହୋଇଛି । ବରିଷ୍ଠ ବାଳକ ବିଭାଗରେ ମ୍ୟୁନିସିପାଲ କଲେଜ (ସିନିୟର) ଓ ବନ୍ଧମୁଣ୍ଡା ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ସେମିଫାନାଲ ମ୍ୟାଚ୍ ମ୍ୟୁନିସିପାଲ କଲେଜ (ଜୁନିୟର) ଓ କବାଡ଼ି ଜିଆଣ୍ଟସ୍ ମଧ୍ୟରେ ଖେଳାଯିବ । ଅନ୍ୟପକ୍ଷରେ କନିଷ୍ଠ ବାଳକ ବିଭାଗରେ ଚିନ୍ମୟ ବିଦ୍ୟାଳୟ (ଛେଣ୍ଡ) ଓ ଏନ୍ପିଏସ୍ (ସେକ୍ଟର ୨୧) ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ଡିଏଭି ପବ୍ଳିକ୍ ସ୍କୁଲ (ବାସନ୍ତୀ କଲୋନୀ) ଓ ସରକାରୀ ଊର୍ଦ୍ଧ୍ବୁ ବିଦ୍ୟାଳୟ (ପ୍ଳାଣ୍ଟସାଇଟ) ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ତେବେ ବାଳକ ବିଭାଗର ସେମିଫାଇନାଲ ଓ ବାଳିକା ବିଭାଗର ଫାଇନାଲ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ ।
କବାଡ଼ି ସହିତ ଆଜି ହକିର ମଧ୍ୟ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯାଇଥିଲା । ରାଜ୍ୟ କ୍ରୀଡ଼ା ଛାତ୍ରାବାସ (ପାନପୋଷ) ପରିସରରେ ଖେଳାଯାଇଥିବା ଆଜିର ମ୍ୟାଚରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଜୀବନରେ କ୍ରୀଡ଼ାର ଗୁରୁତ୍ବ ସମ୍ପର୍କରେ ବୁଝାଇଥିଲେ । ଆଜିର ମ୍ୟାଚରେ ଡିଏଭି ହିଲ୍ସକୁ ଭେଟିଥିଲା ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟ (ଆରଏସ୍ପି) । ଏହି ମ୍ୟାଚରେ ଆରଏସପି ଟିମ୍ ୩-୧ ଗୋଲରେ ଡିଏଭି ହିଲ୍ସକୁ ପରାସ୍ତ କରିଛି । ସେହିଭଳି ଆଜି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ବି.କେ କ୍ଳବ୍କୁ ୧-୬ ଗୋଲରେ ପରାସ୍ତ କରିଛି ମ୍ୟୁନିସିପାଲ କଲେଜ । ପୁରୁଷ ହକି ବିଶ୍ବକପ୍ ୨୦୨୩ ପରିପ୍ରେକ୍ଷୀରେ ରାଉରକେଲା ମହାନଗର ନିଗମ ଓ କ୍ରୀଡ଼ା ସଂଗଠନମାନଙ୍କ ଆନୁକୂଲ୍ୟରେ ଏହି ସବୁ ମ୍ୟାଚ୍ ଖେଳାଯାଇଥିବା ବେଳେ ମହାନଗର ନିଗମର ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି ।