ରାଉରକେଲା : ରାଉରକେଲା-ବନ୍ଧମୁଣ୍ଡା ରାସ୍ତାର ଜର୍ଜର ଅବସ୍ଥା ଯୋଗୁଁ ଲୋକେ ହନ୍ତସନ୍ତ।। ଶୀଘ୍ର ରାସ୍ତା ମରାମତି ଦାବି କଲେ ସ୍ଥାନୀୟ ଲୋକଙ୍କ ସହ କଂଗ୍ରେସ।
ରାଉରକେଲା : ୭/୧୨(ସତ୍ୟା ନ୍ୟୁଜ)
ବିଶ୍ରା , ଜରେଇକେଲା , ବନ୍ଧମୁଣ୍ଡା ଲୋକଙ୍କ ଦୁଃଖ ଏବେ ସାଜିଛି ବିଶ୍ରା ରୋଡ଼ ଠାରୁ ଫଟା ପାଇପ ପର୍ଯ୍ୟନ୍ତ ରାସ୍ତାର ଦୁରାବସ୍ଥା। ରାସ୍ତା ମଝିରେ ଏବଂ ଉଭୟ ପାର୍ଶ୍ୱରେ ବଡ଼ ବଡ଼ ଗର୍ତ୍ତ ହୋଇଥିବା ବେଳେ ଏଥିରେ ସବୁବେଳେ ପାଣି ଭର୍ତ୍ତି ହୋଇ ରହୁଛି। ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି। ରାଉରକେଲାରୁ ଯାଇଥିବା ଏହି ରାସ୍ତା ବନ୍ଧମୁଣ୍ଡା , ବିଶ୍ରା ଦେଇ ଝାରଖଣ୍ଡ ଯାଇଛି। ବଡ଼ବିଲ କୁ ମଧ୍ୟ ଏହି ରାସ୍ତାରେ ଦେଇ ଯିବା ଆସିବା ହୁଏ। ଫଳରେ ପ୍ରତ୍ୟହ ଏହି ରାସ୍ତା ଦେଇ ଶହଶହ ଗାଡି ମଟର ଯିବା ଆସିବା କରିଥାଏ। ମାତ୍ର ଖରାପ ରାସ୍ତା ଯୋଗୁଁ ଯାତ୍ରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର ହେଉ ନଥିବା ଅଭିଯୋଗ ହେଉଛି।
ଅନ୍ୟପକ୍ଷରେ ଏହି ରାସ୍ତା ମରାମତିରେ ପ୍ରଶାସନିକ ଅବହେଳା ଥିବା ଅଭିଯୋଗ କରିଛି କଂଗ୍ରେସ ଦଳ। ବୁଧବାର ଦିନ କଂଗ୍ରେସର ଏକ ପ୍ରତିନିଧି ଦଳ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଶୀଘ୍ର ରାସ୍ତା ମରାମତି ଦାବିରେ ମହାନଗର ନିଗମ କମିଶନରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଥିଲେ।
ଏବେ ହକି ବିଶ୍ୱକପ ଲାଗି ସହରର ବିଭିନ୍ନ ରାସ୍ତାଘାଟ ଚକଚକ କରୁଛି।
ଏହି ସମୟରେ ବନ୍ଧମୁଣ୍ଡା ରାସ୍ତାର ଶୋଚନୀୟ ଅବସ୍ଥା ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ଶୀଘ୍ର ରାସ୍ତା ମରାମତି ଲାଗି ଦାବି ହେଉଛି।