ରାଉରକେଲା : ହକି ବିଶ୍ୱକପ ପୂର୍ବରୁ ସହରରେ ହେବ ନଗର କ୍ରୀଡାପ୍ରତିଯୋଗୀତା।। ବିଜେତାଙ୍କୁ ମିଳିବ ନଗଦ ରାଶି ପୁରସ୍କାର।

0 226

ରାଉରକେଲା :୭/୧୨(ସତ୍ୟା ନ୍ୟୁଜ) ଆସନ୍ତା ଜାନୁଆରୀ ମାସରେ ପୁରୁଷ ହକି ବିଶ୍ବକପ‌ର ଆୟୋଜନ କରିବାକୁ ଯାଉଛି ଇସ୍ପାତ ନଗରୀ ରାଉରକେଲା । ଏହା ପୂର୍ବରୁ ସହରବାସୀଙ୍କୁ କ୍ରୀଡ଼ା ମନସ୍କ କରିବା ଉଦ୍ଦେଶ୍ୟରେ ସହରରେ ଆୟୋଜିତ ହେବ ବଡ଼ ଧରଣର ନଗର କ୍ରୀଡ଼ା ଉତ୍ସବ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ପୂର୍ବରୁ ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କ୍ରୀଡ଼ାବିତ ଏବଂ କ୍ରୀଡ଼ା ସଂଗଠନ କର୍ମକର୍ତ୍ତାଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ବିଜେତା ଏବଂ ଉପ ବିଜେତାଙ୍କୁ ଯଥାକ୍ରମେ ୩୦ ହଜାର ଏବଂ ୨୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ ନେଇ ଘୋଷଣା କରିଛନ୍ତି ଶ୍ରୀ ମହାପାତ୍ର ।

ଆସନ୍ତା ୮ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସହର ବିଭିନ୍ନ ଖେଳପଡ଼ିଆ ଏବଂ ଇନଡୋର ଷ୍ଟାଡିୟମ‌ରେ ୫ଟି ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ । ସହରର ବିଭିନ୍ନ କ୍ରୀଡ଼ା ସଂଗଠନ ଓ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଏହି ମ୍ୟାଚ୍‌ ଗୁଡ଼ିକ ଖେଳାଯିବ । ଏହି ନଗର କ୍ରୀଡ଼ା ଉତ୍ସବରେ ୧୦ଟି ପୁରୁଷ ହକି ଟିମ୍, ୩୨ ପୁରୁଷ ଫୁଟବଲ ଟିମ୍, ୨ଟି ମହିଳା ଫୁଟବଲ୍‌ ଟିମ୍, ୧୨ଟି ପୁରୁଷ ଭଲିବଲ୍‌ ଟିମ୍, ୪ଟି ମହିଳା ଖୋ ଖୋ ଦଳ, ୧୬ଟି ପୁରୁଷ କବାଡ଼ି ଦଳ ଓ ୫ଟି ମହିଳା କବାଡ଼ି ଦଳ ଅଂଶ ଗ୍ରହଣ କରିବେ ।
ଆସନ୍ତା ୮ ତାରିଖରୁ ୧୧ ତାରିଖ ଯାଏଁ ପାନପୋଷ ସ୍ଥିତ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ହକି ମ୍ୟାଚ୍‌ ଖେଳାଯିବ । ସେହିଭଳି ସେକ୍ଟର ୬ ସ୍ଥିତ ଇସ୍ପାତ ଷ୍ଟାଡିୟମ୍‌ରେ ୧୩ ତାରିଖରୁ ୨୦ ତାରିଖ ଯାଏଁ ଅପରାହ୍ଣ ୧ଟାରୁ ୫ ଟା ମଧ୍ୟରେ ଫୁଟବଲ୍‌ ମ୍ୟାଚ୍‌ ଖେଳାଯିବ । ସେହିଭଳି ଉଦିତ ନଗର ଷ୍ଟାଡିୟମ‌ରେ ଆସନ୍ତା ୧୩ ତାରିଖରୁ ୨୧ ତାରିଖ ଯାଏଁ ଫୁଟବଲ ମ୍ୟାଚ୍‌ ଖେଳାଯିବ ।
ଅନ୍ୟପକ୍ଷରେ ମର୍ଡର୍ଣ୍ଣ ସ୍କୁଲ (ସିଭିଲଟାଉନ୍) ନିକଟସ୍ଥ ଭଲିବଲ୍‌ ଗ୍ରାଉଣ୍ଡରେ ୧୧ ତାରିଖରୁ ୧୪ ଯାଏଁ ଭଲିବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଅନୁରୂପଭାବେ ସେକ୍ଟର ୨୦ ସ୍ଥିତ ରାଇଜିଂ କ୍ଳବ୍‌ ଠାରେ ୧୧ ତାରିଖ ଠାରୁ ୧୩ ତାରିଖ ଯାଏଁ ସନ୍ଧ୍ୟା ୫ରୁ ୯ ଟା ଯାଏଁ ଭଲିବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ସେହିଭଳି ଇସ୍ପାତ ଇନଡୋର ଷ୍ଟାଡିୟମ‌ରେ ୮ ତାରିଖରୁ ୧୦ ତାରିଖ ଯାଏଁ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ । ବାସନ୍ତୀ କଲୋନୀ ସ୍ଥିତ ଏସ୍‌କେଡିଏଭି ପଲିଟେକନିକ୍‌ ପରିସରରେ ଖୋ ଖୋ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍‌ ଖେଳାଯିବ।

Leave A Reply

Your email address will not be published.