ସୁନ୍ଦରଗଡ଼ : ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି।। ୧୨୮ ଅଭିଯୋଗରୁ ୪୦ ଅଭିଯୋଗର ତୁରନ୍ତ ସମାଧାନ।

0 249

ସୁନ୍ଦରଗଡ଼ : ୫/୧୨(ସତ୍ୟା ନ୍ୟୁଜ): ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରି ଏହାର ଆଶୁ ସମାଧାନ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କରାଯାଉଛି। ସୋମବାର ଦିନ ସୁନ୍ଦରଗଡ଼ସ୍ଥିତ ସଦଭାବନା ଭବନଠାରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ସାଗରିକା ନାଥ ଉପସ୍ଥିତ ରହି ବିଭିନ୍ନ ବ୍ଲକରୁ ଆସିଥିବା ଲୋକମାନଙ୍କର ଅଭିଯୋଗ ଶୁଣାଣି କରିଥିଲେ।

ଏହି ଜନଶୁଣାଣିରେ ମୋଟ ୧୨୮ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଜନଶୁଣାଣି ସ୍ଥଳରେ ହିଁ ୪୦ଟି ଅଭିଯୋଗର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାରକରି ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜନଶୁଣାଣିରେ ଲୋକମାନେ ବିଭିନ୍ନ ପ୍ରସଙ୍ଗ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସେଥିମଧ୍ୟରେ ନୂତନ ରାସ୍ତା ନିର୍ମାଣ, ନିଯୁକ୍ତି, ରାସନ କାର୍ଡ, ଭତ୍ତା, ଜମିପଟ୍ଟା, ପାଠପଢା ପାଇଁ ଆର୍ଥିକ ସହାୟତା ଏବଂ ଫସଲ ନଷ୍ଟର କ୍ଷତି ପୂରଣ ପ୍ରଦାନ ଆଦି ପ୍ରମୁଖ ଅଭିଯୋଗ ରହିଥିଲା।

ସୁନ୍ଦରଗଡ଼ ଜିଲ୍ଲାର କେତେକ ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ରାଶି ଲାଗି ଆବେଦନ କରିଥିଲେ। ଜନଶୁଣାଣି ବେଳେ ୨୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏବଂ ୨ ଜଣଙ୍କୁ ରେଡକ୍ରସ ସୋସାଇଟିରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଜନଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଉପଜିଲ୍ଲାପାଳ ଦାଶରଥି ସରାବୁ, ପିଡି ଡୁଡା ତଥା ଡିଏମଏଫ ସିଇଓ ରିତା ଡାଙ୍ଗ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଡେପୁଟି କଲେକ୍ଟର (ଜରୁରିକାଳୀନ) କୁନ୍ତୀରାଣି ନାଏକଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.