ରାଉରକେଲା : ହକି ବିଶ୍ୱକପକୁ ସ୍ୱାଗତ କରିବା ଲାଗି ପଥୋତ୍ସଵ ରାହାଗିର ‘ପ୍ରେରଣା’ କାର୍ଯ୍ୟକ୍ରମ।। ରାସ୍ତାରେ ହକି ଖେଳ ସହ ବିଭିନ୍ନ କ୍ରୀଡ଼ାର ଆୟୋଜନ।
ରାଉରକେଲା : ୪/୧୨(ସତ୍ୟା ନ୍ୟୁଜ) ଆସନ୍ତା ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର ସହ ରାଉରକେଲାରେ ହେବାକୁ ଯାଉଛି ହକି ବିଶ୍ୱ କପ ୨୦୨୩।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଏହି ହକି ବିଶ୍ୱକପ ହେବାକୁ ଥିବା ବେଳେ ରାଉରକେଲା ରେ ନିର୍ମାଣଧୀନ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମରେ ମ୍ୟାଚ ହେବ। ଏଥି ଲାଗି ସହରର ସୌନ୍ଦର୍ଯ୍ୟକରଣ ସହ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ହକି ବିଶ୍ୱକପ କୁ ହର୍ଷ ଉଲ୍ଲାସ ସହ ସ୍ୱାଗତ କରିବା ଲାଗି ରବିବାର ଦିନ ରାଉରକେଲା ରେ ଆୟୋଜନ କରାଯାଇଛି ପଥୋତ୍ସବ ରାହାଗିର ‘ପ୍ରେରଣା’ କାର୍ଯ୍ୟକ୍ରମ। ଏହି ଉପଲକ୍ଷେ ହନୁମାନ ବାଟିକା ଛକ ଠାରୁ ଟ୍ରାଫିକ ଗେଟ ଛକ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଇଛି। ବିଭିନ୍ନ କ୍ରୀଡା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଲୁଡୁ ଖେଳ ଠାରୁ ଆରମ୍ଭ କରି ପୁଚି ଖେଳ ପର୍ଯ୍ୟନ୍ତ ହୋଇଥିଲା। ବିଶେଷ କରି ହନୁମାନ ବାଟିକା ଛକ ଏବଂ ସରଣା ଛକ ଠାରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରଦର୍ଶନ କରାଯାଇଥିଲା। ହକି ଠାରୁ ଆରମ୍ଭ କରି କ୍ୟାରମ ବୋର୍ଡ ପର୍ଯ୍ୟନ୍ତ ଖେଳ କରାଯାଇଥିଲା। ବରିଷ୍ଠ ନାଗରିକ ମାନଙ୍କ ଲାଗି ମଧ୍ୟ ହସିବା , ଚାଲିବା , ଡାକ୍ତରୀ ଯାଞ୍ଚ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୋଟ ଉପରେ ହକି ବିଶ୍ୱକପ କୁ ସ୍ୱାଗତ କରିବା ଲାଗି ଏବଂ ଏହି କାର୍ଯ୍ୟକ୍ରମରେ ଜଡିତ ରହିବାକୁ ସହରର ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଇଛି। ରାଉରକେଲା ମହାନଗର ନିଗମ କମିଶନର ଡକ୍ତର ଶୁଭଙ୍କର ମହାପାତ୍ର ନିଜେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।