ଭୁବନେଶ୍ୱର : ହକି ବିଶ୍ୱକପ ୨୦୨୩ ଟ୍ରଫି ଟୁର ଡିସେମ୍ବର ୫ ରୁ।। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ହକି ଇଣ୍ଡିଆ ଅଧ୍ୟକ୍ଷଙ୍କୁ ଟ୍ରଫି ହସ୍ତାନ୍ତର କରିବେ।
ଏଫ ଆଇ ଏଚ ହକି ପୁରୁଷ ବିଶ୍ୱକପ ୨୦୨୩ ଆରମ୍ଭ ହେବାକୁ ୪୫ ଦିନରୁ କମ ସମୟ ଥିବାବେଳେ ହକି ଇଣ୍ଡିଆ ଏକ ଟ୍ରଫି ଟୁର୍ ଘୋଷଣା କରିଛି। ଯେଉଁଥିରେ ବିଶ୍ୱକପ୍ ଟ୍ରଫି ଦେଶର ବିଭିନ୍ନ ସ୍ଥାନକୁ ନିଆଯିବ। ଏହି ହକି ବିଶ୍ୱକପ ଉଭୟ ଭୁବନେଶ୍ୱର ଏବଂ ରାଉରକେଲାରେ ହେଉଛି।
ଡିସେମ୍ବର ୫ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କୁ ଏହି ଟ୍ରଫି ହସ୍ତାନ୍ତର କରିବା ସହିତ ଏହି ଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ।
ଏହି ଟ୍ରଫି ଭୁବନେଶ୍ୱରକୁ ଫେରିବା ପୂର୍ବରୁ ୧୨ ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଯାତ୍ରା କରିବ | ଏହି ଦିନିଆ ଟୁର ରେ ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାରଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଏବଂ କର୍ଣ୍ଣାଟକ ଦେଇ ଟ୍ରଫି ଡିସେମ୍ବର ୨୫ ତାରିଖରେ ଓଡ଼ିଶା ଫେରିବ।
“ଏହି ପଦକ୍ଷେପ ପଛର ଉଦ୍ଦେଶ୍ୟ ହେଉଛି ଦେଶର ବିଭିନ୍ନ ଭାଗରେ ହକି ପ୍ରଶଂସକଙ୍କୁ ସମ୍ମାନଜନକ ଟ୍ରଫିର ଝଲକ ଦେଖିବାକୁ ସୁଯୋଗ ଦେବା । ଭାରତୀୟ ପ୍ରଶଂସକମାନେ ହକି ପ୍ରତି ସର୍ବଦା ଆଗ୍ରହୀ ଥିଲେ ଏବଂ ଆଗାମୀ ଟୁର୍ଣ୍ଣାମେଣ୍ଟରେ ନିଜ ଘରୋଇ ଦଳ ପାଇଁ ଉତ୍ସାହ ଦେବାକୁ ଆଗ୍ରହ ପ୍ରକାଶ କରିବେ | ଆମେ ବିଶ୍ୱାସ କରୁ ଏହି ଯାତ୍ରା ପ୍ରଶଂସକମାନଙ୍କୁ କ୍ରୀଡା ସହିତ ଜଡିତ ରହିବାକୁ ସୁଯୋଗ ଦେବ ଏବଂ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବ”। କହିଛନ୍ତି , ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ।
FIH ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩ ଭୁବନେଶ୍ୱର ଏବଂ ରାଉରକେଲା ରେ ଜାନୁୟାରୀ ୧୩ , ୨୦୨୩ ରୁ ଆରମ୍ଭ ହେବ।
ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲ୍ୟାଣ୍ଡ, ଭାରତ, ଆର୍ଜେଣ୍ଟିନା, ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଫ୍ରାନ୍ସ, କୋରିଆ, ମାଲେସିଆ, ସ୍ପେନ୍, ଦକ୍ଷିଣ ଆଫ୍ରିକା, ଜାପାନ, ଚିଲି ଏବଂ ୱେଲ୍ସ ଆଦି ୧୬ ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।